ସେନା ଯବାନଙ୍କୁ ମିଳିବ ସ୍ୱଦେଶୀ ସୁରକ୍ଷାକବଚ । ହାଡଭଙ୍ଗା ଶୀତରେ ସାଥୀ ସାଜିବ, ମାଇନସ ୫୦ ଡିଗ୍ରୀ ତାପମାତ୍ରାରେ ବି ଗରମ ଦେବ ।

93

କନକ ବ୍ୟୁରୋ : ସେନା ଯବାନଙ୍କ ପାଇଁ ସ୍ୱଦେଶୀ ସୁରକ୍ଷାକବଚ । ଥଣ୍ଡା ଅଞ୍ଚଳରେ ଚାଲୁଥିବା ଅପରେସନରେ ଯବାନଙ୍କ ପାଇଁ ସାଜିବ ବ୍ରହ୍ମାସ୍ତ୍ର । ପୂର୍ବ ଲଦାଖ, ଉତ୍ତର ସିକ୍କିମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଭଳି ଅଞ୍ଚଳରେ ନିୟୋଜିତ ଥିବା ଯବାନ ଏବେ ସ୍ୱଦେଶୀ ଗରମ କପଡା ପିନ୍ଧିବେ । ଏହି ଏକ୍ସଟ୍ରିମ ୱେଦର କ୍ଲଥିଙ୍ଗ୍ ସିଷ୍ଟମ କେବଳ ଆରାମ ପ୍ରଦାନ କରିବନି ବରଂ ଏହାର ରକ୍ଷାଣବେକ୍ଷଣ ମଧ୍ୟ ବେଶ ସହଜ । ଏହି ସ୍ୱତନ୍ତ୍ର ଗରମ ପୋଷାକର ଓଜନ ବହୁତ କମ ଥିବା ବେଳେ ଏହାକୁ ପିନ୍ଧି ସେନା ଯବାନ ମାନେ ବେଶ ସହଜରେ କାମ କରିପାରିବେ । ଡିଆରଡିଓ ଏହି ପୋଷାକ ତିଆରି କରିବାକୁ ୫ ସ୍ୱଦେଶୀ କମ୍ପାନିକୁ ଦେଇଛି ଏବଂ ଖୁବଶୀଘ୍ର ଏହାର ଉତ୍ପାଦନ ଆରମ୍ଭ ହେବ ।

୨୦୨୦ରେ ପୂର୍ବ ଲଦାଖ ଅଞ୍ଚଳରେ ଚୀନ୍ ସେନା ସହ ମୁହାଁମୁହିଁ ସ୍ଥିତି ଉପୁଜିବା ପରେ ଭାରତ ଏଲଏସିରେ ୫୦ ହଜାର ଅତିରିକ୍ତ ଯବାନଙ୍କୁ ନିୟୋଜିତ କରିଛି । ତେବେ ଏତେ ସଂଖ୍ୟକ ଯବାନଙ୍କ ପାଇଁ ୨୦୨୦ରେ ଆମେରିକାରୁ ଗରମ ପୋଷାକ କିଣିଥିଲା ଭାରତୀୟ ସେନା । କିନ୍ତୁ ଚଳିତଥର ସ୍ୱଦେଶୀ ଗରମ ପୋଷାକ ବ୍ୟବହାର କରିବେ ସେନା ଯବାନ । ଏହି ସ୍ୱତନ୍ତ୍ର ଗରମ ପୋଷାକ ଶୂନରୁ ମାଇନସ ୫୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ସମ୍ଭାଳିପାରିବ । ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରଯାଇଥିବା ଏହି ୩ ଲେୟାର ବିଶିଷ୍ଟ ଗରମ ପୋଷାକ ସେନା ଯବାନଙ୍କ ପାଇଁ ଥଣ୍ଡାରେ ରକ୍ଷାକବଚ ସାଜିବ । ପ୍ରଥମ ଲେୟାର ପିନ୍ଧି ଯବାନ ବେଶ ଆରାମରେ ୧୫ ଡିଗ୍ରୀ ସେଲିସିୟସରେ କାମ କରିପାରିବେ । ସେହିଭଳି ୩ ଲେୟାରର ଗରମ ପୋଷାକ ପିନ୍ଧିଲେ ମାଇନସ ୫୦ ଡିଗ୍ରୀ ପର୍ଯ୍ୟନ୍ତ ଥଣ୍ଡା ସମ୍ଭାଳିହେବ ।  ଏହି ସ୍ୱତନ୍ତ୍ର ପୋଷାକକୁ ୱାଟରପ୍ରୁଫ୍ ଓ ୱିଣ୍ଡପ୍ରୁଫ୍ କରାଯାଇଛି । ଯାହାଦ୍ୱାରା ହିମାଳୟର ଉପରପାଶ୍ୱର୍ରେ ହେଉଥିବା ବରଫପାତ ଓ ଥଣ୍ଡା ପବନରୁ ରକ୍ଷା ପାଇପାରିବେ ସେନା ଯବାନ । ସବୁଠୁ ବଡ କଥା ହେଉଛି, ଏହି ଗରମ ପୋଷାକ ପିନ୍ଧି ସେନା ଯବାନ ମାନେ ବେଶ ସହଜରେ ନିଜର କାର୍ଯ୍ୟ  କରିପାରିବେ ।

ଏହି ସ୍ୱତନ୍ତ୍ର ଗରମ ପୋଷାକ ବ୍ୟାକ୍ଟେରିଆନିରୋଧୀ । ତେଣୁ ଏହାକୁ ଧୋଇବାର ମଧ୍ୟ ଆବଶ୍ୟକତା ନାହିଁ । ଏହାର ଓଜନ ଏତେ କମ କରାଯାଇଛି ଯେ, ଯବାନ ମାନେ ବେଶ ସହଜରେ ନିଜର ଡ୍ୟୁଟି କରିପାରିବେ । ଆଉ ସବୁଠୁ ବଡ କଥା ହେଲା, ପୂର୍ବରୁ ସେନା ଯବାନଙ୍କ ପାଇଁ ବିଦେଶରୁ କିଣାଯାଉଥିବା ଗରମ ପୋଷାକର ଦର ଠାରୁ ଏହି ଗରମ ପୋଷାକର ଦର ମଧ୍ୟ ଯଥେଷ୍ଟ କମ ରହିଛି । ଆଉ ଏହାକୁ ଦେଶରେ ତିଆରି କରି ବିଦେଶୀ ମୁଦ୍ରା ବଞ୍ଚାଇପାରିବ ଭାରତ ।