କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳିମିନିମୟରେ ଜଣେ ଅଧିକାରୀ ଓ ଜଣେ ପୁଲିସ କର୍ମଚାରୀଙ୍କ ସମେତ ୪ ଜଣ ସେନା ଯବାନ ସହିଦ ହୋଇଛନ୍ତି। ଏହି ଘଟଣା ପରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ସପ୍ତାହକ ମଧ୍ୟରେ ୪ଟି ଆକ୍ରମଣ ହୋଇଛି, ଯେଉଁଥିରେ ସୁରକ୍ଷାକର୍ମୀଙ୍କର ବଡ଼ ଧରଣର କ୍ଷୟକ୍ଷତି ହୋଇଛି। ବିରୋଧୀ କଂଗ୍ରେସ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ଅଧିକ ବଢିବାରେ ଲାଗିଛି ।
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଲଗାତାର ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କ ସୃଷ୍ଟି କରୁଛନ୍ତି। ସୋମବାର ରାତିରେ ଡୋଡ଼ାର ଦେସା ଅଞ୍ଚଳର ଜଙ୍ଗଲରେ ଏହି ଗୁଳିମିନିମୟ ଆରମ୍ଭ ହୋଇଥିଲା। ସଶସ୍ତ୍ର ଆତଙ୍କବାଦୀଙ୍କ ସହ ଗୁଳିମିନିମୟରେ ଜଣେ ଅଧିକାରୀ ଓ ଜଣେ ପୁଲିସ କର୍ମଚାରୀଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। ଉଭୟ ପକ୍ଷରୁ ଜୋରଦାର ଗୁଳିବିନିମୟ ହୋଇଛି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ଗତ ସପ୍ତାହକ ମଧ୍ୟରେ ଜମ୍ମୁ-କଶ୍ମୀରରେ ଏହା ହେଉଛି ଚତୁର୍ଥ ଘଟଣା। କଠୁଆରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ ପରେ ଡୋଗ୍ରା ଫ୍ରଣ୍ଟ ପକ୍ଷରୁ ପାକିସ୍ତାନ ବିରୋଧରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ନଜର ପକାନ୍ତୁ ସପ୍ତାହକର ଘଟଣାବଳୀ ଉପରେ
ସେନା-ଯବାନ ମୁହାଁମୁହିଁ
୬ ଜୁଲାଇ ୬ ଆତଙ୍କବାଦୀ ନିପାତ ୨ ଯବାନ ସହିଦ
୮ ଜୁଲାଇ ୫ ଯବାନ ଆହତ ୫ ଯବାନ ସହିଦ
୧୪ ଜୁଲାଇ ୩ ଆତଙ୍କବାଦୀ ମୃତ
୧୫ ଜୁଲାଇ ୪ ଯବାନ ସହିଦ
୧୧ ଦିନରେ ୧୧ ଯବାନ ସହିଦ, ୯ ଆତଙ୍କୀ ନିପାତ
ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଦୌରାତ୍ମ ବଢିବା କେନ୍ଦ୍ର ସରକାରଙ୍କୁ ଏକ ବଡ ଝଟକା । ଆତଙ୍କବାଦୀଙ୍କ ପ୍ରଭାବ କମାଇବାକୁ ଧାରା ୩୭୦ ଉଚ୍ଚେଦର ଅନ୍ୟତମ ଉଦ୍ଦେଶ୍ୟ ଥିଲା । କିନ୍ତୁ ଏବେ ଯେଉଁଭଳି ଆତଙ୍କବାଦୀଙ୍କ ସଂଖ୍ୟା ବଢୁଛି ତାହା ଚିନ୍ତାଜନକ । ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଗୁଳିମିନିମୟରେ ଆମ ଯବାନ ସହିଦ ହୋଇଛନ୍ତି। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗୋଟିଏ ପରେ ଗୋଟିଏ ଏଭଳି ଭୟଙ୍କର ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ। ଏହି କ୍ରମାଗତ ଆତଙ୍କବାଦୀ ଆକ୍ରମଣ ଜମ୍ମୁ-କଶ୍ମୀରର ଶୋଚନୀୟ ଅବସ୍ଥାକୁ ଦର୍ଶାଉଛି ବୋଲି ରାହୁଲ କହିଛନ୍ତି। ବିଜେପିର ଭୁଲ ନୀତିର ଶିକାର ହେଉଛନ୍ତି ଆମ ଯବାନ ଓ ସେମାନଙ୍କ ପରିବାର। ବାରମ୍ବାର ସୁରକ୍ଷା ତ୍ରୁଟି ପାଇଁ ସରକାର ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ଦରକାର ବୋଲି ରାହୁଲ କହିଛନ୍ତି।
ଆତଙ୍କବାଦୀ ସଂଗଠନ 'କଶ୍ମୀର ଟାଇଗର୍ସ' ଏକ ବିବୃତ୍ତିରେ କହିଛି ଯେ ସୁରକ୍ଷାବାହିନୀ 'ମୁଜାହିଦ୍ଦିନ୍'କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିବା ବେଳେ ଗୁଳିବିନିମୟ ହୋଇଥିଲା। 'କାଶ୍ମୀର ଟାଇଗର୍ସ' ହେଉଛି ସେହି ଗୋଷ୍ଠୀ ଯିଏ ଜୁଲାଇ ୯ ରେ କଠୁଆରେ ସେନା ବାହିନୀ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।