ସୁନାପୁଅ ନୀରଜଙ୍କୁ ବଡ ସମ୍ମାନ, ନୀରଜଙ୍କ ନାମରେ ନାମିତ ହେବ ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ

133

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଥିବା ଜାଭଲିନ ଥ୍ରୋ ଖେଳାଳୀ ନୀରଜ ଚୋପ୍ରାଙ୍କ ଉପରେ ଏବେ ଦେଶ ସୁନା ବର୍ଷା କରିବାରେ ଲାଗିଛି । କୋଟି କୋଟି ଟଙ୍କାର ପୁରସ୍କାର ରାଶି, ସରକାରୀ ଚାକିରି ପରେ ଏବେ ଦେଶର ସର୍ବବୃହତ ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟ ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ୍ ନୀରଜ ଚୋପ୍ରାଙ୍କ ନାମରେ ନାମିତ କରାଯିବ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଘୋଷଣା କରିଛନ୍ତି । ପୁଣେ ସ୍ଥିତ ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ ଏବେ ସୁବେଦାର ନୀରଜ ଚୋପ୍ରା ଷ୍ଟାଡିୟମ ନାମରେ ନାମିତ କରାଯିବ । ଏନେଇ ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜନାଥ ସିଂଙ୍କ ସହ ନୀରଜ ଚୋପ୍ରା ବି ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ରାଜନାଥ ସିଂ ନୀରଜ ଚୋପ୍ରାଙ୍କୁ ସମ୍ମାନୀତ କରିଥିଲେ । ନୀରଜ ଚୋପ୍ରା ଏବେ ଦକ୍ଷିଣ କମାଣ୍ଡରେ ପୋଷ୍ଟିଂ ପାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜନାଥ ସିଂ କହିଥିଲେ କି ଖେଳକୁ ପ୍ରୋତ୍ସାହିତ କରିବାକୁ ସରକାର ଯଥାସମ୍ଭବ ସହାୟତା ଯୋଗାଇ ଦେବେ । ସେ ଇନଷ୍ଟିଚ୍ୟୁଟ ହେଉ କି ବ୍ୟକ୍ତିଗତ ସ୍ତରରେ ପ୍ରାକ୍ଟିସ ହେଉ ଯେଉଁମାନେ ସହାୟତା ଚାହିଁବେ ସରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ।

କହିରଖୁ କି ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରିଥିଲେ । ହେଲେ ନୀରଜ ଚୋପ୍ରା ଏକମାତ୍ର ଖେଳାଳି ଯେ କି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।