ଆଫ୍ରିକୀୟ ଦେଶ ମାଳୀରେ ସେନାର ବିଦ୍ରୋହ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ରଖିଲେ ବନ୍ଦୀ, ଉଭୟଙ୍କ ବିରୋଧରେ ଆସିଥିଲା ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ; ସରକାରୀ ଟିିଭି ଚ୍ୟାନେଲ ବି ବନ୍ଦ

414

କନକ ବ୍ୟୁରୋ : ପଶ୍ଚିମ ଆଫ୍ରିିକୀୟ ଦେଶ ମାଳିର ସେନା ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି । ଏପରିକି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ବନ୍ଦି ମଧ୍ୟ କରି ରଖିଛନ୍ତି । ମାଳି ରାଷ୍ଟ୍ରପତି ଇବ୍ରାହୀମ ବାଉବକର କୀତା ଏବା ପ୍ରଧାନମନ୍ତ୍ରୀ ବାଇବୋ ସିସେଙ୍କୁ ବିନା ସର୍ତରେ ଛାଡ଼ିବା ପାଇଁ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଂଟୋନିଓ ଗୁଟେରିସ ଦାବି କରିଛନ୍ତି । ସଂଯୁକ୍ତ ରାଷ୍ଟ୍ର ମୁଖପାତ୍ରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ମାଳି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଅଟକ ରହିବାକୁ ଦୃଢ ନିନ୍ଦା କରାଯାଇଛି । ସୁଚନା ଅନୁସାରେ ମାଳି ଦେଶରେ ବିଦ୍ରୋହୀ ସୈନିକ ମାନେ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଆବାସକୁ ଘେରିଥିଲେ । ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ ।

ଏପରିକି ବାମାକୋର ସଡ଼କ ଉପରେ ସୈନିକ ମାନେ ଖୋଲାଖୋଲି ଅସ୍ତ୍ରଶସ୍ତ୍ର ଧରି ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି । ସୁଚନା ଅନୁସାରେ ମାଳିରେ ସରକାର ଅଧପତନ ନେଇ ଅନୁମାନ କରାଯାଉଛି । ରାଷ୍ଟ୍ରପତି ଇବ୍ରାହୀମ ବାଉବକର କୀତାଙ୍କୁ ପଦରୁ ହଟାଇବା ପାଇଁ ପ୍ରଦର୍ଶନ ଅନେକ ଦିନରୁ ଚାଲି ଆସୁଛି । ପୂର୍ବରୁ ଏଭଳି ସଂକଟ ମଧ୍ୟ ଦେଖାଦେଇଥିଲା । ତେବେ ମାଳି ରାଜଧାନୀରେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ମାଳିର ସରକାରୀ ଟିଭି ଚ୍ୟାନେଲ ମଧ୍ୟ ବନ୍ଦ ରହିଛି ।