କନକ ବ୍ୟୁରୋ : ଯେଉଁ ସମୟରେ ଭାରତୀୟ ସେନା ଚୀନ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି, ସେହି ସମୟରେ ସେନାର ଏକ ଆଭ୍ୟନ୍ତରୀଣ ରିପୋର୍ଟକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି । ରିପୋର୍ଟ ମୁତାବକ ଗତ ୬ ବର୍ଷ ମଧ୍ୟରେ ସରକାରୀ କାରଖାନାରୁ ଯେତିକି ଖରାପ ଗୋଳାବାରୁଦ କିଣାଯାଇଛି, ସେତିକି ଟଙ୍କାରେ ସେନା ପାଇଁ ପ୍ରାୟ ୧୦୦ଟି ଆର୍ଟିଲାରି ବନ୍ଧୁକ କିଣାଯାଇପାରିଥାନ୍ତା । ସେନା ଅଧିନରେ କରାଯାଇଥିବା ଏଭଳି ଏକ ରିପୋର୍ଟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦିଆଯାଇଛି । ୨୦୧୪ ରୁ ୨୦୨୦ ଯାଏଁ ଯେଉଁ ଖରାପ ଗୁଣବତ୍ତା ଥିବା ଗୋଳାବାରୁଦ ସରକାର କିଣିଛନ୍ତି ତାହାର ଆନୁମାନିକ ମୂଲ୍ୟ ୯୬୦ କୋଟି ଟଙ୍କା ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଯେଉଁ ଟଙ୍କାରେ କି ୧୫୦ ଏମ୍ ଏମ୍ ର ମଧ୍ୟମ ଧରଣର ଆର୍ଟିଲାରୀ ବନ୍ଧୁକ ସେନା ପାଇଁ କିଣାଯାଇ ପାରିଥାନ୍ତା ।
ଅଡିନାନ୍ସ ଫେକ୍ଟ୍ରି ବୋର୍ଡ (ଓଏଫବି)ର ପରିଚାଳନା ରକ୍ଷାମନ୍ତ୍ରଣାଳୟ ଦ୍ୱାରା ହୋଇଥାଏ । ଯାହାକି ସବୁଠାରୁ ବଡ ଓ ପୁରୂୁଣା ଉତ୍ପାଦନ ୟୁନିଟ୍ ଭାବେ ପରିଗଣିତ । ଯେଉଁ ଫ୍ୟାକ୍ଟ୍ରି ଭାରତୀୟ ସେନା ପାଇଁ ଗୋଳାବାରୁଦ ତିଆରି କରିଥାଏ । ଯାହାକୁ ଏବେ ସେନା ତରଫରୁ ସମାଲୋଚନା କରାଯାଇଛି । ସେନା ତରଫରୁ କୁହାଯାଇଛି ଯେ ଯେଉଁ ଖରାପ ଗୁଣବତ୍ତା ଥିବା ଗୋଳାବାରୁଦ ସେନାକୁ ଯୋଗାଇ ଦିଆଯାଇଛି ତାହା ମଧ୍ୟରେ ୨୩- ଏମ୍ ଏମ୍ ଏୟାର ଡିଫେନ୍ସ ସେଲ, ୧୨୫- ଏମ୍ ଏମ୍ ଟ୍ୟାଙ୍କ ରାଉଣ୍ଡ ସହିତ ବିଭିନ୍ନ କ୍ୱାଲିଟିର ଗୁଳି ଅନ୍ତର୍ଭୁକ୍ତ ।
ସେନା ରିପୋର୍ଟରେ ଦାବି କରାଯାଇଛି କି ଏଭଳି ଖରାପ ଗୁଣବତ୍ତା ଗୋଳାବାରୁଦ କେବଳ ଦେଶର ଟଙ୍କା କ୍ଷତି କରିନାହିଁ । ଏହାଦ୍ୱାରା ଅନେକ ଘଟଣାରେ ମାନବୀୟ କ୍ଷତି ମଧ୍ୟ ସୃଷ୍ଟି କରିଛି । ଏହା ସହ ଏହି ରିପୋର୍ଟରେ କୁହାଯାଇଛି କି ଏଭଳି ମାନର ଗୋଳାବାରୁଦ ବ୍ୟବହାର ଫଳରେ ପ୍ରତି ସପ୍ତାହରେ ସର୍ବନିମ୍ନ ଗୋଟିଏ ମାନବୀୟ କ୍ଷତି ଦେଖିବାକୁ ମିଳିଛି । ଏହି ରିପୋର୍ଟରେ ଆହୁରି ଦାବି କରାଯାଇଛି କି ଏଭଳି ଖରାପ ମାନର ଗୋଳାବାରୁଦ ଫଳରେ ୨୦୧୪ ପରେ ୪୦୩ଟି ଅଘଟଣ ଘଟିଛି । ଏଭଳି ଘଟଣା କ୍ରମାଗତ ଭାବେ ହ୍ରାସ ପାଉଥିଲେ ବି ଏହା ଏକ ଚିନ୍ତାଜନକ ବିଷୟ । ରିପୋର୍ଟ ମୁତାବକ ଖରାପ ମାନର ଗୋଳାବାରୁଦ ବ୍ୟବହାର ଫଳରେ ୨୦୧୪ରେ ୧୧୪ ଟି ଘଟଣା, ୨୦୧୭ରେ ୫୩, ୨୦୧୮ରେ ୭୮ ଓ ୨୦୧୯ ରେ ୧୬ ଟି ଘଟଣା ଘଟିଛି ।
ଏହି ଘଟଣାରେ ୨୭ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୯ ଜଣ ଯବାନ ଆହତ ହୋଇଥିଲେ । ୨୦୨୦ରେ ଏନେଇ ୧୩ ଟି ଘଟଣା ଘଟିଥିଲେ ବି କୌଣସି ଯବାନଙ୍କ ମୃତ୍ୟୁ ହୋଇନାହିଁ । ଏହି ଗୋଳାବାରୁଦ କିଣାରେ ୯୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ରିପୋର୍ଟ କହୁଥିବା ବେଳେ ଏଥିରୁ ୨୦୧୪-୨୦୧୯ ମଧ୍ୟରେ ୬୫୮ କୋଟି ଟଙ୍କାର ଗୋଳାବାରୁଦ କିଣାଯାଇଥିଲା । ଗତ ୨ ବର୍ଷ ମଧ୍ୟରେ ସେନା ତରଫରୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ଘରୋଇ କ୍ଷେତ୍ର ଉପରେ ଏକ ଷ୍ଟାଣ୍ଡ ଗ୍ରହଣ କରାଯାଇଛି । ତେବେ ଘରୋଇ କମ୍ପାନୀରୁ ଓଏଚବି ଭଳି ଯୋଗାଣ ପାଇ ପାରୁ ନଥିବା ସେନା ଅଭିଯୋଗ କରିଛି ।
ଚଳିତ ମାସ ଆରମ୍ଭରେ ସେନାର ଅସ୍ତ୍ରଶସ୍ତ୍ର ତଦାରଖ କରୁଥିବା ଏମଜିଓ ଲେଫ୍ଟନାଣ୍ଟ ଜେନେରାଲ ଉପାଧ୍ୟାୟ କହିଛନ୍ତି କି ସେନା ଓଏଚବିରୁ ଯୋଗାଣ ପାଉଛି । ହେଲେ ଏହା ସହିତ ଏକ ବ୍ୟବସ୍ଥା ସୃଷ୍ଟି କରିବାର ଆବଶ୍ୟକତା ରହିଛି ଯାହା ବିଭିନ୍ନ କାର୍ଯ୍ୟ କରିପାରିବ । ଯଦିଓ ଏହା ଏପର୍ଯ୍ୟନ୍ତ ସେହି କ୍ଷମତାରେ ପହଂଚିପାରି ନାହିଁ ତେବେ ଆରମ୍ଭ କରିବାର ଆବଶ୍ୟକତା ରହିଛି ।
ତଥାପି ଓଏଫବିକୁ ନିରନ୍ତର ପରିବର୍ତ୍ତନ କରିବାକୁ କେନ୍ଦ୍ରସରକାର ପ୍ରୟାସ ଜାରି ରଖିଛନ୍ତି । ଅତୀତରେ ଏକ ଏଜେନ୍ସିକୁ ପରିବର୍ତ୍ତନର ରୂପରେଖ ଦେବା ପାଇଁ କୁହାଯାଇଛି ଯାହାଦ୍ୱାରା ଓଏଫବିକୁ ଆଧୁନିକ କରାଯାଇପାରିବ । ଅନ୍ୟଦିଗରେ ଛୋଟ ଛୋଟ ଘରୋଇ କମ୍ପାନୀ ମାନଙ୍କ ସହ ସରକାର ଚୁକ୍ତି କରି ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ପ୍ରୟାସ ଜାରି ରହିଛି । ଯେତେବେଳେ ସୀମାରେ ଚୀନ ସହିତ କୌଣସି ମୂହୁର୍ତ୍ତରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି ସେହି ସମୟରେ ଗୁଳିର ଗୁଣବତ୍ତା ଓ ପରିମାଣ ଉପରେ ସେନା ତରଫରୁ ପ୍ରଶ୍ନ ଉଠିବା ପ୍ରତିରକ୍ଷା ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।