ସେନାକୁ ମିଳିଲା ଶକ୍ତିଶାଳୀ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ! ସୁରକ୍ଷା କବଚ ସାଜିବ ‘ସର୍ବତ୍ର’ । ଗୁଳି ଭେଦିବନି, ଛାତିରେ ବାଜିବନି ।

507

କନକ ବ୍ୟୁରୋ : ଭାରତ ଆଗରେ ମୁଣ୍ଡ ନୁଆଁଇବ ଶତ୍ରୁପକ୍ଷର ସ୍ନାଇପର । ଭାରତୀୟ ସେନାକୁ ମିଳିଲା ଶକ୍ତିଶାଳୀ ସ୍ନାଇପର ବୁଲେଟକୁ ପ୍ରତିରୋଧ କରିପାରୁଥିବା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନାର ସ୍ନାଇପରକୁ ମାତ୍ ଦେବା ପାଇଁ ଭାରତୀୟ ସେନାର ଜଣେ ମେଜର ଅତ୍ୟନ୍ତ ସୁରକ୍ଷିତ ଜ୍ୟାକେଟ୍ ବିକଶିତ କରିଛନ୍ତି ।

ଭାରତୀୟ ସେନାର ମେଜର ଅନୁପ ମିଶ୍ର ‘ସର୍ବତ୍ର’ ନାମରେ ଏକ ବୁଲେଟ୍ ପ୍ରୁଫ୍ ଜାକେଟ୍ ବିକଶିତ କରିଛନ୍ତି । ଏହି ଜ୍ୟାକେଟଟି ଏତେ ସୁରକ୍ଷିତ ଯେ, ସ୍ନାଇପର ରାଇଫଲରୁ ଆସୁଥିବା ମାରାତ୍ମକ ଗୁଳି ମଧ୍ୟ ଏହାକୁ ଭେଦି ପାରିବ ନାହିଁ । ଯାହାଫଳରେ ଯବାନଙ୍କ ଜୀବନ ରକ୍ଷା କରିପାରିବ ଏହି ଜ୍ୟାକେଟ୍ ।
ଏହି ସ୍ୱତନ୍ତ୍ର ଜ୍ୟାକେଟକୁ ନେଇ ମେଜର ଅନୁପ ମିଶ୍ରଙ୍କ କହିବା କଥା, ଏଥିପାଇଁ ସେ ଲେବଲ-୪ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ବିକଶିତ କରିଛନ୍ତି । ଏହାକୁ ପୁନେର କଲେଜ ଅଫ୍ ଇଞ୍ଜିନିୟରିଂ ଠାରେ ବିକଶିତ କରାଯାଇଛି ।

ମେଜର ଅନୁପ ମିଶ୍ରଙ୍କ ଏହି ଉପଲବ୍ଧି ପାଇଁ ସେନା ମୁଖ୍ୟ ବିପିନ୍ ରାୱତ ତାଙ୍କୁ ଆର୍ମି ଡିଜାଇନ୍ ବ୍ୟୁରୋ ଏକ୍ସିଲେନ୍ସ ପୁରସ୍କାରରେ ସମ୍ମାନିତ କରିଛନ୍ତି ।
ବିଗତ କିଛି ମାସ ଧରି ନିୟନ୍ତ୍ରଣ ରେଖା ନିକଟରେ ଭାରତ ଏବଂ ପାକିସ୍ତାନ ବାରମ୍ବାର ମୁହାଁମୁହିଁ ହେଉଥିବା ବେଳେ କିଛି ଯବାନ ମଧ୍ୟ ସହିଦ ହୋଇଛନ୍ତି । ତେଣୁ ଏଭଳି ବୁଲେଟ୍ ପ୍ରୁଫ ଜ୍ୟାକେଟ୍ ଆଗାମୀ ଦିନରେ ସେନାର ଯବାନଙ୍କୁ ସ୍ନାଇପର ରାଇଫଲ ଠାରୁ ସୁରକ୍ଷା ପ୍ରଦାନ କରିବ ।