ସତର୍କ ରୁହ ୩ ସେନା... ଗଲୱାନ ଘାଟିରେ ସଙ୍ଘର୍ଷ ପରେ ୩ ସେନାକୁ ହାଇ ଆଲର୍ଟ । ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

Advertisment
ସତର୍କ ରୁହ ୩ ସେନା... ଗଲୱାନ ଘାଟିରେ ସଙ୍ଘର୍ଷ ପରେ ୩ ସେନାକୁ ହାଇ ଆଲର୍ଟ । ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

କନକ ବୁରୋ: ଚୀନ୍‌ ସହିତ ଗଲଓ୍ଵାନ୍‌ ଉପତ୍ୟକାରେ ସଂଘର୍ଷ ପରେ ଭାରତ ନିଜର ତିନି ସେନାକୁ ୨୪ ଘଣ୍ଟିଆ ‘ହାଇ ଆଲର୍ଟ’ ଜାରି କରିଛି। ଏବଂ ଆବଶ୍ୟକ ସ୍ଥଳେ ଯେ କୌଣସି ପ୍ରକାରର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସଦା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି। ଦେଶର ସ୍ଥଳସେନା ସମେତ ବାୟୁସେନା ଓ ନୌସେନା ନିମନ୍ତେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତ ସରକାର।

ଏଥିସହ ଚୀନ୍‌ ସହ ଲାଗି ରହିଥିବା ଦେଶର ପ୍ରାୟ ୩୫୦୦ କିଲୋମିଟର ପରିବ୍ୟାପ୍ତ ସୀମାନ୍ତରେ ଭାରତୀୟ ସେନାର ଫ୍ରଣ୍ଟ ଲାଇନ୍‌ ବେସରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ସହ ପୂର୍ବ ଲଦାଖ ଓ ଗଲଓ୍ଵାନ୍‌ ଉପତ୍ୟକାରେ ସେନାକୁ ୨୪ ଘଣ୍ଟିଆ ‘ହାଇ ଆଲର୍ଟ’ରେ ରହିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ।

ଭାରତୀୟ ନୌ ସେନାକୁ ମଧ୍ୟ ଭାରତ ମହାସାଗର ଅଞ୍ଚଳରେ ୨୪ ଘଣ୍ଟିଆ ‘ହାଇ ଆଲର୍ଟ’ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାରଣ, ଚୀନ୍‌ ସେନା ଏହି ସବୁ ଅଞ୍ଚଳରେ ନିୟମିତ ଭାବେ ଅତର୍କିତ ଆକ୍ରମଣ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଅପରାହ୍ନରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ ଏବଂ ତିନି ସେନା ମୁଖ୍ୟଙ୍କ ସହ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କଲାପରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏତଦବ୍ୟତୀତ ଭାରତ- ଚୀନ୍‌ ସୀମାନ୍ତବର୍ତ୍ତୀ ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଲଦାଖ ଅଞ୍ଚଳରେ ଥିବା ଲାଇନ୍‌ ଅଫ୍‌ ଆକଚୁଆଲ କଣ୍ଟ୍ରୋଲ୍‌ (ଏଲଏସି)ରେ ଥିବା ସମସ୍ତ ପ୍ରମୁଖ ଫ୍ରଣ୍ଟ୍‌ ଲାଇନ୍‌ ବେସକୁ ସୁଦୃଢ଼ ଓ ସଶକ୍ତ କରାଯାଇଛି। ଆକାଶ ମାର୍ଗରୁ ସୀମାନ୍ତ ଉପରେ ନଜର ରଖିବା ପାଇଁ ଭାରତ ବାୟୁସେନା ଏହାର ସମସ୍ତ ଫ୍ରଣ୍ଟ ଲାଇନ୍‌ ବେସରେ ‘ହାଇ ଆଲର୍ଟ’ରେ ରହିଛି।

ଭାରତ- ଚୀନ୍‌ ସୀମାରେ ଗତ ପ୍ରାୟ ସପ୍ତାହେ ଧରି ଉତ୍ତେଜନା ଲାଗି ରହିବା ପରେ ସୋମବାର ରାତିରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ହାତାହାତି ସଂଘର୍ଷ ଘଟିଥିଲା। ଭାରତୀୟ ସେନାର ଏକ ପାଟ୍ରୋଲିଂ ପାର୍ଟି ଗାଲୱାନ୍‌ ନଦୀ ଉପତ୍ୟକାରେ ୧୫,୦୦୦ ଫୁଟ ଉଚ୍ଚତାରେ ଚୀନ୍‌ ସେନାର ଏକ ତମ୍ବୁ ହଟାଇବାକୁ ଯାଇଥିବା ବେଳେ ଏହି ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ସେନା ଯବାନ ଶହୀଦ ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟକ ଚୀନ ସେନା ମୃତାହତ ହୋଇଛନ୍ତି ସେ ସଂପର୍କରେ ତଥ୍ୟ ମିଳିପାରି ନାହିଁ। ଅସମର୍ଥିତ ସୂତ୍ରରୁ ଏହି ସଂଖ୍ୟା ୪୫ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe