ଗଲୱାନ ଘାଟି ନେଇ ସଂଘର୍ଷ ପରେ ଦୀର୍ଘ ତିନି ଘଂଟାର ସେନା ସ୍ତରୀୟ ଆଲୋଚନା । ଆଜି ବି ହେବ ଦୁଇପାକ୍ଷିକ କଥାବାର୍ତା : ଆସନ୍ତାକାଲି ଚୀନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ

492

କନକ ବ୍ୟୁରୋ : ଭାରତ- ଚୀନ ସୀମାରେ ଗଲୱାନ୍ ଘାଟିରେ ହିଂସାତ୍ମକ ଗଣ୍ଡଗୋଳ ପରେ ଉଚ୍ଚ ସ୍ତରୀୟ ବୈଠକ । ଗତକାଲି ଗଲୱାନ୍ ଘାଟିରେ ମେଜର ଜେନେରାଲ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଦୁଇ ଦେଶର ସେନା ଅଧିକାରୀ ଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ବୈଠକରେ କୌଣସି ଫଳାଫଳ ବାହାରି ନଥିବା ଜଣାପଡିଛି । ତୁରନ୍ତ ଏହି ସ୍ଥାନରୁ ସେନା ହଟିବା କିମ୍ବା ସ୍ଥିତିର ପରିବର୍ତନ ନେଇ କୌଣସି ନିଷ୍ପତି ବାହାରି ପାରିଲା ନାହିଁ । ଆଗାମୀ ଦିନରେ ଏକାଧିକ ଥର ବୈଠକ ହେବ ବୋଲି ସୂୂଚନା ମିଳିଛି । ଆଜି ପୁଣି ଥରେ ଦୁଇ ଦେଶର ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଏହି ଆଲୋଚନା ଜାରି ରହିବ ବୋଲି କୁହାଯାଉଛି ।

ଅନ୍ୟପଟେ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗଲୱାନ ଘାଟିକୁ ନିଜ ଅଂଚଳ ବୋଲି ଦାବି କରିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟ ମତ ରଖାଯାଇଛି । ଅନ୍ୟପଟେ ଚୀନ ସହିତ ଲାଗିରହିଥିବା ବିବାଦ ସମ୍ପର୍କରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ସବୁଦଳର ମୁଖ୍ୟଙ୍କ ସହ ଆଲୋଚନା କରି ପରବର୍ତୀ ରଣନୀତି ଚୂଡାନ୍ତ କରାଯିବ । ୧୯ ତାରିଖ ସନ୍ଧ୍ୟା ୫ଟାରେ ଭର୍ଚୁଆଲ ବୈଠକ ଜରିଆରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବେ ନରେନ୍ଦ୍ର ମୋଦି ।

ସେପଟେ ଭାରତ-ଚୀନ ସୀମାରେ ଦେଖାଯାଇଥିବା ଉତେଜନା ଉପରେ ଯୁକ୍ତରାଷ୍ଟ୍ର ଆମେରିକା ନଜର ରଖିଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି । ଦୁଇ ଦେଶ ମଧ୍ୟରେ ଆମେରିକା ମଧ୍ୟସ୍ତତା କରିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ଆମେରିକା ରାଷ୍ଟ୍ରପତିଙ୍କ ପ୍ରେସ ସଚିବ କହିଛନ୍ତି, ଏଭଳି କୌଣସି ଆନୁଷ୍ଠାନିକ ଯୋଜନା ନାହିଁ । ଏହି ହିଂସାତ୍ମକ କାଣ୍ଡରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ପ୍ରତି ରାଷ୍ଟ୍ରପତି ଟ୍ରମ୍ପ ଶ୍ରଦ୍ଧାଂଜଳି ଜଣାଇଥିବା ସେ ସୂଚନା ଦେଇଛନ୍ତି ।