ଯବାନଙ୍କ ହ୍ୱାଟ୍ସଆପ୍ ବ୍ୟବହାର ଉପରେ ସେନାର ନଜର । ସୂଚନା ପ୍ରଘଟ ହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।

185

କନକ ବ୍ୟୁରୋ : ସେନା ନିଜର ସୋସିଆଲ ମିଡିଆରେ ସକ୍ରିୟ ଥିବା ସୈନିକ ଓ ଅଫିସରମାନଙ୍କୁ ନୂଆ ନିର୍ଦ୍ଦେଶନାମା ଜାରି କରିଛି ।ଯବାନମାନେ ବ୍ୟବହାର କରୁଥିବା ହ୍ଵାଟ୍ସଆପ ଉପରେ ଏବେ ସେନା ନଜର ରଖିଛି । ହ୍ଵାଟ୍ସଆପ ଗ୍ରୁପରେ ନିଜକୁ ସାମିଲ କରିବା ପୂର୍ବରୁ ସାବଧାନ ହେବାକୁ ସେନା ନିର୍ଦ୍ଦେଶ ଦେଇଛି । ସେନା ମୁଖ୍ୟାଳୟ ଚେତାବନୀ ଦେଇଛି ଯେ ହ୍ଵାଟ୍ସଆପ ମାଧ୍ୟମରେ କୌଣସି ସେନା ସମ୍ପର୍କିତ ସୂଚନା ଲିକ ବା ପ୍ରଘଟ ହୋଇଗଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୈନିକମାନଙ୍କୁ କୁହାଯାଇଛି ଯେ ସେମାନେ ସେହି ସବୁ ଗ୍ରୁପରୁ ବାହାରିଯାଆନ୍ତୁ ଯାହାର ସବୁ ସଦସ୍ୟଙ୍କୁ ଯବାନମାନେ ଜାଣିନଥିବେ । ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଭଳି କିଛି ଘଟଣା ସାମନାକୁ ଆସିଛି ଯେଉଁଥିରେ ଜଣାପଡିଛି ଯେ ହ୍ୱାଟ୍ସଅପ ମାଧ୍ୟମରେ ସେନାର କିଛି ସୂଚନା ଓ ସମ୍ବେଦନଶୀଳ ତଥ୍ୟ ଆତଙ୍କୀଙ୍କ ପାଖରେ ପହଁଚିଯାଉଛି । ପାକିସ୍ତାନରେ ବସିଥିବା ଏଜେନ୍ସିମାନେ ଏସବୁ ତଥ୍ୟକୁ ସଂଗ୍ରହ କରି ଭାରତରେ ଆକ୍ରମଣ କରାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ସେନାର ଅଫିସରମାନେ ହନିଟ୍ରାପର ଶିକାର ହେଉଥିବା ଜଣାପଡିଥିଲା । ଏହାକୁ ନେଇ ସେନା ଏବେ ସତର୍କ ହୋଇପଡିଛି ।