କନକ ବ୍ୟୁରୋ: ଚାଇନିଜ୍ ମାଞ୍ଜାସୂତାରେ ବେକ କଟିବାରୁ ଚାଲିଗଲା ଯବାନଙ୍କ ଜୀବନ। ହାଇଦ୍ରାବାଦର ଲଙ୍ଗର ହାଉସ ଫ୍ଲାଏଓଭରରେ ଘଟିଛି ଏହି ଘଟଣା। ସେ ବାଇକରେ ଡ୍ୟୁଟିକୁ ଯାଉଥିବା ବେଳେ ହଠାତ୍ ଏକ ଚାଇନାର ମାଞ୍ଜାଦିଆ ସୂତା ଆସି ତାଙ୍କ ବେକରେ ଗୁଡ଼ାଇ ହୋଇଯାଇଥିଲା। ଏହା ପରେ ସେ ନିଜ ଗାଡ଼ିରୁ ତଳକୁ ଖସିପଡ଼ିଥିଲେ। ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଯବାନଙ୍କ ନାମ କୋଟେଶ୍ୱର ରେଡ୍ଡି ବୋଲି ଚିହ୍ନଟ କରାଯାଇଛି।

କୋଟେଶ୍ୱର ରେଡ୍ଡି ବିଶାଖାପାଟନମର ବାସିନ୍ଦା ଥିଲେ ଏବଂ ଚାକିରି ପାଇଁ ସେ ହାଇଦ୍ରାବାଦର ଲଙ୍ଗର ହାଉସ ଅଞ୍ଚଳରେ ରହୁଥିଲେ। ତେବେ ଏହି ଦୁର୍ଭାଗ୍ୟଜନକ ଘଟଣା ପରେ ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ଓସମାନିଆ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ମୃତଦେହକୁ ସେନା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟପକ୍ଷରେ ୨୮ବର୍ଷୀୟ କୋଟେଶ୍ୱରଙ୍କ ପତ୍ନୀ ସଡ଼କ ପଥରେ ସ୍ୱାମୀଙ୍କ ମୃତଦେହକୁ ବିଶାଖାପାଟଣା ପଠାଇବାକୁ ଅନୁରୋଧ କରିଛନ୍ତି। ସେଠା‌ରେ କୋଟେଶ୍ୱରଙ୍କ ଅନ୍ତିମ ସଂସ୍କାର କରାଯିବ। ଏହି ଘଟଣା ପରେ ଏବେ ପୁଲିସ ଏତଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।