ବଞ୍ଚିପାରିବେନି ଆତଙ୍କବାଦୀ। ଜମ୍ମୁକଶ୍ମୀରରେ ସର୍ଚ୍ଚ ଅପରେସନକୁ ଜୋରଦାର କଲା ସେନା।

221

କନକ ବ୍ୟୁରୋ: ପୁଞ୍ଚରେ ଯବାନଙ୍କ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ କରିବା ପରେ, ଜାମ୍ମୁକାଶ୍ମୀରରେ ବଡ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଯେଉଁମାନେ ଆକ୍ରମଣରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ କଳେବଳେ କୌଶଳେ ଧରିବାକୁ, ଖୋଜି ବାହାର କରିବା ସହ, ଶେଷ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ସେନା । ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲରେ ଲୁଚିଥିବା ସୂଚନା ପାଇ, ହେଲିକପ୍ଟର ଓ ଡ୍ରୋନ ସହାୟତାରେ ସେମାନଙ୍କୁ ଖୋଜା ଚାଲିଛି ।

ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସନ୍ଧାନୀ କୁକୁରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଆତଙ୍କବାଦୀ ଯେଉଁଠି ଲୁଚିଲେ ବି ସେମାନଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଛି । ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ଯବାନ ସହିଦ ହୋଇଛନ୍ତି । ଆଉ ଆକ୍ରମଣ ପରେ ସମ୍ପୃକ୍ତ ଥିବା ୭ ଅତାଙ୍କବାଦୀ ଅଲଗା ଅଲଗା ସ୍ଥାନରେ ଲୁଚି ଥିବା କୁହାଯାଉଛି । ତେବେ ସୁରକ୍ଷାଗତ ଦୃଷ୍ଟିକୋଣରୁ ଏନଆଇଏ, ଏସଓଜି, ଫୋରେନ୍ସିକ ଟିମ ଓ ବମ୍ ସ୍କ୍ୱାର୍ଡ ସାମିଲ ହୋଇଛନ୍ତି । ପୂରା ପୁଞ୍ଚସେକ୍ଟରକୁ ଘେରାବନ୍ଧୀ କରିବା ସହ ତନ୍ନ ତନ୍ନ କରି ଚାଲିଛି ସର୍ଚ୍ଚ ଅପରେସନ । ଯେଉଁ ସ୍ଥାନରେ ଆତଙ୍କୀମାନେ ସେନା ଗାଡିକୁ ଟାର୍ଗେଟ କରି ଗ୍ରେନେଡ୍ ଓ ଗୁଳିମାଡ କରିଥିଲେ ସେହି ସ୍ଥାନରେ ଶୁକ୍ରବାରଠୁ ସେନାର ବରିଷ୍ଠ ଅଧିକାରୀ ଓ ତଦନ୍ତକାରୀ ସଂସ୍ଥା ଏନଆଇଏ ପହଞ୍ଚି ସାରିଛି ।