ପାକିସ୍ତାନରେ ସେନା – ସରକାର ମୁହାଁମୁହିଁ । ବିଦା ହେବେକି ଇମ୍ରାନ୍?

302

କନକ ବ୍ୟୁରୋ: ପାକିସ୍ତାନରେ ରାଜନୀତି ସରଗରମ । ଖୁବ୍ ଶିଘ୍ର ବିଦା ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏନେଇ ଗଣମାଧ୍ୟମରେ ର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ, ଆଇଏସଆଇର ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ଇମ୍ରାନ୍ ଖାନ୍ ଓ ସେନା ମୁଖ୍ୟ କମର୍ ଜାଭେଦ୍ ବାଜୱାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । କୁହାଯାଉଛି ଇମ୍ରାନ ଖାନଙ୍କୁ ପଦରୁ ହଟାଇବାକୁ ପ୍ରସ୍ୁତି ଚଳାଇଛି ସେନା । କାହିଁକି ନା ନଭେମ୍ବର ୨୦ ତାରିଖରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି ଲେଫ୍ଟେନାଣ୍ଟ ଜେନେରାଲ ନଦୀମ ଅଂଜୁମ । ଏହାକୁ ନେଇ ଇମ୍ରାନ ଓ ଜାଭେଦ ବାଜୱାଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ସୃଷ୍ଟିି ହୋଇଛି ।

ଇମ୍ରାନ ଖାନଙ୍କ ଆଗରେ ଏବେ ଦୂୁଇଟି ବିକଳ୍ପ । ପ୍ରଥମତଃ ଇମ୍ରାନ୍ ଖୁବ ଶିଘ୍ର ଅର୍ଥାତ୍ ନଭେମ୍ବର ୨୦ ପୂର୍ବରୁ ପଦ ଛାଡନ୍ତୁ । ଦ୍ୱିତୀୟ ବିକଳ୍ପ ହେଉଛି ସଂସଦ ଛାଡିବେ ବିରୋଧୀ । ଏହି ଦୁଇଟି ଯାକ ବିକଳ୍ପରେ ଇମ୍ରାନଙ୍କୁ ହିଁ ଗାଦି ଛାଡିବାକୁ ପଡିବ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ସତ୍ତାରୁଢ ତେହରିକି ଇନସାଫ୍ ଦଳ ସହ ମେଣ୍ଟ କରିଥିବା ଦଳ ମୁତହିଦା କୌମି ମୁଭମେଣ୍ଟଓ ପାକିସ୍ତାନ ମୁସ୍ଳିମ ଲିଗ୍ ଇମ୍ରାନଙ୍କ ଠାରୁ ନିଜ ସମର୍ଥନ ପ୍ରତ୍ୟାହର କରିନେବେ । ବିଶେଷ ସୂତ୍ରରୁ ପ୍ରକାଶ ଯେ, ପିଟିଆଇର ମୁଖ୍ୟ ପରଭେଜ୍ ଖଟକ ଓ ପାକିସ୍ତାନ ମୁସ୍ଲିମ ଲିଗର ଶାହବାଜ ଶରିଫଙ୍କ ମଧ୍ୟରୁ କେହି ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

ଆହୁରି ମଧ୍ୟ ଟିଏପି ଓ ଇମ୍ରାନଙ୍କ ତେହରିକି ଇନସାଫ୍ ଦଳ ମଧ୍ୟରେ ସେନା ବିବାଦ ସୃଷ୍ଟି କରୁଛି ବୋଲି ଚର୍ଚ୍ଚା ହେଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇମ୍ରାନ ସରକାରଙ୍କୁ ହଟାଇବା । ଏସବୁ ପଛର କାରଣ ହେଉଛି ଗୁଇନ୍ଦା ସଂସ୍ଥା ଆଇଏସଆଇର ଡିଜି ଭାବେ ରହିଥିବା ଲେଫ୍ଟେନାଣ୍ଟ ଫୈଜ୍ ହମିଦ ଏହି ପଦରେ ରୁହନ୍ତୁ ବୋଲି ସେନା ମୁଖ୍ୟ ବାଜୱା ଚାହୁଁଥିବାବେଳେ ଏହି ପଦରେ ଲେଫ୍ଟେନାଣ୍ଟ ନଦୀମ ଅଂଜୁମଙ୍କୁ ଦେଖିବାକୁ ଚାହୁଁଛନ୍ତି ଇମ୍ରାନ୍ ଖାନ୍ ।ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଘନେଇଥିବାବେଳେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।