ଭାରତୀୟ ସେନା ହାତକୁ ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ । ସ୍ୱଦେଶୀ କୌଶଳରେ ନିର୍ମିତ ହୋଇଛି ଭାରତୀୟ ବ୍ରହ୍ମାସ୍ତ୍ର

120

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଓ କେରଳ ଗସ୍ତରେ ଅଛନ୍ତି । ତାଙ୍କର ଏହି ଗସ୍ତବେଳେ ସେ ପ୍ରଥମେ ଚେନ୍ନାଇ ପହଂଚି ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ସେନା ହାତରେ ଅର୍ପଣ କରିଛନ୍ତି । ଏହା ସହ ସେ ଚେନ୍ନାଇରେ ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ଯୋଜନା ମଧ୍ୟରେ ଚେନ୍ନାଇର ମେଟ୍ରୋ ପରିଯୋଜନା ଓ କେରଳରେ ଏକ ପେଟ୍ରୋକେମିକାଲ ରହିଛି ।
ଏହି ଗସ୍ତର ପ୍ରଥମେ ପ୍ରଧାନମନ୍ତ୍ରୀ ଚେନ୍ନାଇ ମେଟ୍ରୋ ରେଳର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଉତ୍ତର ଚେନ୍ନାଇର ବିମାନବନ୍ଦର ଓ ରେଳ ଷ୍ଟେସନ ସହିତ ଯୋଗା ଯୋଗ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କିଛିଦିନ ପୂର୍ବରୁ ରକ୍ଷା ମନ୍ତ୍ରଣାଳୟ ୧୧୮ ଟି ଉନ୍ନତ ଅର୍ଜୁନ -୧ ଟ୍ୟାଙ୍କ ଭାରତୀୟ ସେନାରେ ସାମିଲ କରିବା ନେଇ ନିଷ୍ପତ୍ତି ନେଇଥିଲା । ୮,୪୦୦ କୋଟି ଟଙ୍କା ବଜେଟରେ ଏହି ଟ୍ୟାଙ୍କ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଏହି ଟ୍ୟାଙ୍କର ନିର୍ମାଣ ଓ ବିକାଶ କାର୍ଯ୍ୟ ଡିଆରଡିଓ ଦ୍ୱାରା କରାଯାଇଛି । ଏହାକୁ ଡିଆରଡିଓର କଂବେଟ୍ ୱକିଲ୍ସ ରିସର୍ଚ୍ଚ ଆଣ୍ଡ ଡେଭଲେପମେଣ୍ଟ ଏଷ୍ଟାବିଲସମେଣ୍ଟ ତରଫରୁ ଡିଜାଇନ କରାଯାଇଛି ।