ପୁଲୱାମା ଏବଂ ବାଲାକୋଟ୍ ଆକ୍ରମଣ ପରେ ମଧ୍ୟ ହନିଟ୍ରାପରେ ଫସିଥିଲେ ସେନାର କ୍ଲର୍କ ! ବିଦେଶୀ ମହିଳାଙ୍କୁ ଦେଇଥିଲେ ଭାରତର ସୁରାକ ।

238

କନକ ବ୍ୟୁରୋ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଏବଂ ବାଲାକୋଟରେ ଭାରତର ଏୟାରଷ୍ଟ୍ରାଇକ୍ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତକା ବଢିଛି । ଏପରିକି ଏହି ଦୁଇଟି ଘଟଣା ପରଠାରୁ ଉଭୟ ଦେଶ ସୀମାରେ ନିଜ ଶକ୍ତି ସାମର୍ଥ୍ୟ ବଢାଇଛନ୍ତି । ଆଉ ଏହାରି ଭିତରେ ସେନା ସହ ଯୋଡି ହୋଇଥିବା ଗୋପନୀୟ ତଥ୍ୟ ବିଦେଶୀ ମହିଳାଙ୍କୁ ଦେବା ଅଭିଯୋଗରେ ଗିରଫ ହୋଇଥିବା ଅବିନାଶ କୁମାରଙ୍କ ବାବଦରେ ମଧ୍ୟପ୍ରଦେଶ ଏଟିଏସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଏବଂ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ସମୟରେ ମଧ୍ୟ ଅଭିଯୁକ୍ତ ଅଭିନାଶ ବିଦେଶୀ ମହିଳାଙ୍କ ସହ ସମ୍ପର୍କରେ ରହିଥିଲା । ତେବେ ଆଶଙ୍କା କରାଯାଉଛି ଯେ, ଅବିନାଶ ଭିଡିଓ କଲିଂ ଜରିଆରେ ସେନାର ଗତିବିଧିର ସୂଚନା ହନି ଟ୍ରାପ୍ ଜରିଆରେ ସେୟାର କରିଥିଲେ । ତେବେ ଅବିନାଶଙ୍କୁ ଜାଲରେ ପକାଇଥିବା ମହିଳା ଜଣଙ୍କ ରାଜସ୍ଥାନ ବାସିନ୍ଦା ବୋଲି ନିଜକୁ ପରିଚୟ ଦେଇଥିଲା । ଆଉ ଏହା ପରେ ସେ ସେନାର ସମସ୍ତ ତଥ୍ୟ ପାଇବାରେ ଲାଗିଥିଲେ । ତେବେ ଯାଞ୍ଚଏଜେନ୍ସିର କହିବା ଅନୁଯାୟୀ, ଏଥିରେ ଅନ୍ୟ କିଛି ଲୋକ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନଙ୍କ ଉପରେ ନଜର ରହିଛି ।

ଅବିନାଶ କୁମାର ଏଟିଏସ, ସେଣ୍ଟ୍ରାଲ ଏଜେନ୍ସି ଏବଂ ମିଲେଟ୍ରି ଇଣ୍ଟେଲିଜେନ୍ସରାଡାରରେ ଥିଲେ । ପାଖାପାଖି ୧୦ ମାସ ପୂର୍ବରୁ ଯେତେବେଳେ ତାଙ୍କ ବ୍ୟାଙ୍କ ଖାତାରେ ପ୍ରଥମ ଥର ପାଇଁ ୧୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିଲା, ସେତେବେଳେ ଏଜେନ୍ସି ଗୁଡିକର ସନ୍ଦେହ ଆହୁରି ବଢିଯାଇଥିଲା । ତେବେ ଏହାରି ଭିତରେ ଯାଞ୍ଚ ଏଜେନ୍ସି ଜାଣିବାକୁ ପାଇଛି ଯେ, ଅବିନାଶ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଭିଡିଓ କଲିଂ ଜରିଆରେ ମହିଳାଙ୍କ ସହ ସେୟାର କରୁଥିଲେ । ଏନେଇ ଅନେକ ପ୍ରମାଣ ଲାଗିଛି ଏଟିଏସ୍ ହାତରେ ।