ଭାରତ ଚୀନ୍ ବିବାଦ ମଧ୍ୟରେ ବେଜିଂକୁ ସେନା ମୁଖ୍ୟଙ୍କ କଡା ଚେତାବନୀ । ୭୩ତମ ସେନା ପ୍ରତିଷ୍ଠା ଦିବସରେ କହିଲେ, ଧୈର୍ଯ୍ୟର ପରୀକ୍ଷା ନନେଉ ଚୀନ୍

83

କନକ ବ୍ୟୁରୋ : ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଚୀନ୍କୁ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ଏମଏମ ନରଭଣେ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଆନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । କେବଳ ଏତିକି ନୁହେଁ ଗଲୱାନ ଘାଟୀ ଘଟଣାକୁ ମନେପକାଇ ନରଭଣେ କହିଛନ୍ତି ଯେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି ମନ୍ତବ୍ୟ ଦେଇଛନ୍ତି ସେନାମୁଖ୍ୟ । ଭାରତର ଚୀନ ମଧ୍ୟରେ ପ୍ରାୟ ୯ମାସ ଉପରେ ହେଲାଣି ବିବାଦ ଲାଗିରହିଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତି ବଦଳାଇବାକୁ ଚାହୁଁଥିଲା ଚୀନ୍ ଯାହାର ମୁହଁତୋଡ ଜବାବ ଦେଇଥିଲା ଭାରତ ।

ସୀମା ପାର ଆତଙ୍କବାଦ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସେନାମୁଖ୍ୟ । ପଡୋଶୀ ରାଷ୍ଟ୍ର ଏବେବି ଆତଙ୍କବାଦୀଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି ବୋଲି କହିଛନ୍ତି ନରଭଣେ । ଚୀନ୍ ସହିତ ଦୀର୍ଘ ୯ମାସ ହେଲା ଲାଗିରହିଥିବା ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବଡ ବୟାନ ଦେଇଛନ୍ତି । ଭାରତ କେବେ ହେଲେ ଯୁଦ୍ଧ ଚାହେ ନାହିଁ । କିନ୍ତୁ କୌଣସି ସୁପରପାୱାର ଯଦି ଦେଶର ଜାତୀୟ ଏକତା ଓ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରିବ ତାହେଲେ ଦେଶର ଯବାନ ମାନେ ଏହାର ଉଚିତ ଜବାବ ଦେବାକୁ ସକ୍ଷମ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଆଜି ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଦେଶ । ଦିଲ୍ଲୀର କରିଅପ୍ପା ଗ୍ରାଉଣ୍ଡରେ ଏଥିଲାଗି ଭବ୍ୟ ପରେଡର ଆୟୋଜନ କରାଯାଇଛି । ଏଥିରେ ସ୍ଥଳସେନା ପ୍ରମୁଖ ଏମଏମ ନରଭଣେ ପରଡେର ସଲାମି ନେବା ସହ ସୈନ୍ୟଙ୍କୁ ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ସେନାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଉଛି । ଏହାସହ ପଡୋଶୀ ରାଷ୍ଟ୍ରକୁ ଚେତାବନୀ ମଧ୍ୟ ଦେଇଛନ୍ତି ସେନାମୁଖ୍ୟ ।