ଚୀନ୍ ସହ ବିବାଦ ମଧ୍ୟରେ ଆର୍ମି ମୁଖ୍ୟଙ୍କ ଲଦାଖ ଗସ୍ତ । ଶୂନ ଡିଗ୍ରୀ ତାପମାତ୍ରାରେ ମୁତୟନ ସୈନିକଙ୍କ ସହ କଲେ ଆଲୋଚନା

172

କନକ ବ୍ୟୁରୋ : ଚୀନ୍ ସହ ବିବାଦ ମଧ୍ୟରେ ଲଦାଖ ଗସ୍ତ କରିଛନ୍ତି ଆର୍ମି ମୁଖ୍ୟ ଜେନରୋଲ ମନୋଜ ମୁକୁନ୍ଦ ନରଭଣେ । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ତଟ ଅଂଚଳ ପରିଦର୍ଶନ କରି ବାସ୍ତବ ନିୟନ୍ତ୍ରଣ ରେଖା ଅଂଚଳର ସ୍ଥିତି ସମୀକ୍ଷା କରିଛନ୍ତି ସେନା ମୁଖ୍ୟ ।
ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ସେନା ମୁଖ୍ୟଙ୍କ ଲଦାଖ ଗସ୍ତ । ଦୀର୍ଘ ୮ମାସରୁ ଅଧିକ ସମୟ ଧରି ଦୁଇ ଦେଶ ମଧ୍ୟରେ ଉତେଜନା ଲାଗି ରହିଥିବା ବେଳେ ସେନା ମୁଖ୍ୟଙ୍କ ଲଦାଖ ଗସ୍ତର ବେଶ ଗୁରୁତ୍ୱ ରହିଛି । ଦିନିକିଆ ଲଦାଖ ଗସ୍ତ କରି ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ତଟ ଅଂଚଳ ପରିଦର୍ଶନ କରିବା ସହ ବାସ୍ତବ ନିୟନ୍ତ୍ରଣ ରେଖା ଅଂଚଳର ସ୍ଥିତି ସମୀକ୍ଷା କରିଛନ୍ତି ସେନା ମୁଖ୍ୟ ଜେନରୋଲ ମନୋଜ ମୁକୁନ୍ଦ ନରଭଣେ ।

ରେଚିନ ଲା ସମେତ ଫରୱାର୍ଡ ପୋଷ୍ଟ ଗୁଡିକରେ ମୁତୟନ ସୈନିକ ମାନଙ୍କର ସ୍ଥିତି ଅନୁଧ୍ୟାନ କରିଛନ୍ତି ସେନାମୁଖ୍ୟ । ଏଲଏସିରେ ସୁରକ୍ଷାକର୍ମୀ କିପରି ଆରାମରେ ଡ୍ୟୁଟି କରିପାରିବେ ସେଥିଲାଗି କରାଯାଇଥିବା ପ୍ରସ୍ତୁତିର ପ୍ରଶଂସା କରିଛନ୍ତି ।

ସେନା ମୁଖ୍ୟ ରେଚିନ ଲା ଫରୱାର୍ଡ ବେସ୍ରେ ‘ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସ’ ଅଂଚଳର ଏକଦିବସୀୟ ଯାତ୍ରା କରିଛନ୍ତି । ଉଦ୍ଦମପୁର ସ୍ଥିତ ନର୍ଦ୍ଦନ କମାଣ୍ଡର ଅଂଶବିଶେଷ ଚତୁର୍ଦ୍ଦଶ କର୍ପ୍ସର ଯବାନ ମାନଙ୍କୁ ମଧ୍ୟ ଭେଟିଛନ୍ତି ସେନାମୁଖ୍ୟ । ଏହି ଅବସରରେ ସେ ଫରୱାର୍ଡ ବେସ ଗୁଡିକର ତଦାରଖ କରିଛନ୍ତି । ଏହି ସମୟରେ ଜିଓସି, ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସ ଏବଂ ଅନ୍ୟ କମାଣ୍ଡୋ ମାନଙ୍କ ଦ୍ୱାରା ସେନାର ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ସେନାମୁଖ୍ୟଙ୍କୁ ଅବଗତ କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବ ଲଦାଖର ବିଭିନ୍ନ ପାହାଡିଆ ଅଂଚଳରେ ଶୂନ୍ୟ ଡିଗ୍ରୀ କମ୍ ତାପମତ୍ରାରେ ପ୍ରାୟ ୫୦ହଜାରରୁ ଅଧିକ ଯବାନ ସୀମାକୁ ଜଗିରହିଛନ୍ତି । ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଲେ ଏମାନେ ତୁରନ୍ତ ଜବାବ ଦେବାର କ୍ଷମତା ରଖିଛନ୍ତି ।

ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳ ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ୮ମାସ ହେଲା ଉତେଜନା ଲାଗି ରହିଛି । ଏପରି ସମୟରେ ସେନା ମୁଖ୍ୟ ସୀମା ଗସ୍ତ କରି ଯବାନଙ୍କ ଉତ୍ସାହ ବଢାଇଛନ୍ତି । ଏହାରି ଭିତରେ ଗତ ୧୮ତାରିଖରେ ଉଭୟ ଦେଶର କୂଟନୈତିଜ୍ଞ ସ୍ତରୀୟ ଆଲୋଚନା ହୋଇଥିଲା, ଯାହା ବିଶେଷ ଫଳ ପ୍ରଦ ହୋଇପାରିନାହିଁ । ତେଣୁ ବରିଷ୍ଠ ସେନା କମାଣ୍ଡର ମାନଙ୍କର ଆଉ ଏକ ବୈଠକ ଆୟୋଜନ ପାଇଁ ଉଭୟ ପକ୍ଷ ରାଜି ଅଛନ୍ତି ।