ଲଦାଖ ସୀମାରୁ ଚୀନ, ପାକିସ୍ତାନକୁ କଡା ସନ୍ଦେଶ ଦେଲେ ସ୍ଥଳ ସେନା ମୁଖ୍ୟ । ପଢନ୍ତୁ, କଣ କହିଲେ ନରୱାଣେ…

230

କନକ ବ୍ୟୁରୋ: ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରୱାଣେ ଶୁକ୍ରବାର ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି । ଯେଉଁଠି ସେ ସୁରକ୍ଷା ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ତେବେ ଏହାରି ଭିତରେ ଆଜି ସ୍ଥଳସେନା ମୁଖ୍ୟ ଚୀନ ସୀମାରେ ସ୍ଥିତି ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି । ଏମଏମ ନରୱାଣେ କହିଛନ୍ତି, ଚୀନ ସେନା ବର୍ତ୍ତମାନ ନିଜ ସୀମାରେ ଅନେକ ନିର୍ମାଣ କାମ କରୁଛି , ହେଲେ ଭାରତୀୟ ସେନା ସମସ୍ତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି ।

ତା ସହିତ ନରୱାଣେ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ ନିଜ ସୀମା ପାଖରେ ଏବେ ନିର୍ମାଣ କାମ ଜାରି ରଖିଛି । ଯାହାକି ଆମ ପାଇଁ ଚିନ୍ତାର ବିଷୟ । ହେଲେ ସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି । ଚୀନ ପଟରୁ ଯଦି ଭାରତକୁ କୌଣସି ବି ବିପଦ ଆସେ, ତେବେ ଭାରତୀୟ ସେନା ଆଧୁନିକ ଅସ୍ତ୍ରଶସ୍ତ୍ର ସହ ସଜାଗ ରହିଛି ବୋଲି ନରୱାଣେ କହିଛନ୍ତି ।

ଏଥିସହିତ ସୀମାରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଚୀନ ସହିତ ସୀମା ବିବାଦ ଶେଷ କରିବାକୁ ସମସ୍ତ ସ୍ତରରେ କଥାବାର୍ତ୍ତା ଜାରି ରହିଛି । ଏଯାବତ ୧୨ ଥର ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇସାରିଛି ଏବଂ ଖୁବଶୀଘ୍ର ଆଗାମୀ କଥାବାର୍ତ୍ତା ମଧ୍ୟ ହେବ । ତେଣୁ ଭାରତ-ଚୀନ ଭିତରେ ଥିବା ସୀମା ବିବାଦର ଶୀଘ୍ର ଅନ୍ତ ଘଟିବ ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି । ତା ସହିତ ପାକିସ୍ତାନ ସୀମାରେ ମଧ୍ୟ ସ୍ଥିତି ଠିକ୍ ରହିଛି , ହେଲେ ଗତ କିଛି ଦିନ ହେଲା ସୀମାରେ ଅନୁପ୍ରବେଶ ଜାରି ରହିଛି । ଏହାକୁ ରୋକିବାକୁ ସେନା ଜୋରଦାର ଉଦ୍ୟମ କରୁଛି ବୋଲି ସେନା ମୁଖ୍ୟ ସୂଚନା ଦେଇଛନ୍ତି ।