କନକ ବ୍ୟୁରୋ : ତିନି ସେନାର ମୁଖ୍ୟମାନଙ୍କୁ ନେଇ ଗଠିତ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ଭାବେ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରୱଣେ ଦାୟିତ୍ବ ଗ୍ରହଣ କରିଛନ୍ତି ।  ଡିସେମ୍ବର ୮ ତାରିଖରେ ଭାରତୀୟ ବାୟୁସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ମୃତ୍ୟୁ ଘଟିବା ପରେ ଉକ୍ତ ପଦବୀ ଖାଲି ପଡ଼ିଥିଲା। ତିନି ସେବା ମୁଖ୍ୟମାନଙ୍କ ମଧ୍ୟରୁ ସବୁଠୁ ବରିଷ୍ଠ ଥିବାରୁ ଜେନେରାଲ୍‌ ନରୱଣେଙ୍କୁ ଉପରୋକ୍ତ କମିଟିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି ବୋଲି ସୂଚନା ମିଳିଛି ।

Advertisment

ବାୟୁସେନା ମୁଖ୍ୟ ଏୟାର୍‌ ମାର୍ସଲ୍‌ ଭି.ଆର୍‌. ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଆର୍‌. ହରି କୁମାର ଯଥାକ୍ରମେ ସେପ୍ଟେମ୍ବର ୩୦ ଏବଂ ନଭେମ୍ବର ୩୦ରେ ନିଜ ନିଜର ପଦବୀରେ ନିଯୁକ୍ତି ପାଇଥିଲେ। ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ପଦବୀ ସୃଷ୍ଟି କରାଯିବା ପୂର୍ବରୁ ତିନି ସେବାର ସବୁଠୁ ବରିଷ୍ଠ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ହେଉଥିଲେ।

ମଙ୍ଗଳବାର ଦିନ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ ଏକତ୍ର ହୋଇ ଜେନେରାଲ୍‌ ରାୱତ୍‌, ତାଙ୍କ ପତ୍ନୀ ମଧୁଲିକା ଏବଂ ସଶସ୍ତ୍ର ସେନାର ଅନ୍ୟ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଶୋକସଭା କରିଥିଲେ।   ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ବରୁଣ ସିଂ ହିଁ ଜୀବିତ ଥିଲେ । କିନ୍ତୁ ୮ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ବରୁଣ ବି ଶେଷରେ ବୁଧବାର ଆଖି ବୁଜିଥିଲେ ।