ଏବେ ପିଓକେ ହାସଲ କରିବା ଆମର ଲକ୍ଷ୍ୟ । ମୋଦିଙ୍କ ମନ୍ତ୍ରୀଙ୍କ ବୟାନ ପରେ ସେନାମୁଖ୍ୟ କହିଲେ ଆମେ ପ୍ରସ୍ତୁତ ।

468

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଏବେ ମୋଦି ସରକାରର ନଜର ପିଓକେ ଉପରେ । ପିଓକେକୁ ପୁଣିଥରେ ହାସଲ କରିବା ସହ ଏହାକୁ ଭାରତରେ ସାମିଲ କରିବା ମୋଦି ସରକାରଙ୍କ ସବୁଠୁ ବଡ ଏଜେଣ୍ଡା ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିବା ପରେ ସେନା ମଧ୍ୟ ଆକ୍ସନ ମୋଡକୁ ଆସିଛି । ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସେନା ପ୍ରସ୍ତୁତ ବୋଲି କହିଛନ୍ତି ସେନାମୁଖ୍ୟ ବିପିନ୍ ରାୱତ । ସରକାର ଆଦେଶ ଦେବା ମାତ୍ରେ ସେନା ଆଗକୁ ବଢିବ ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନର ସଫଳତାର କାହାଣୀ କହୁଥିବା ବେଳେ ପୁଣିଥରେ ପିଓକେ ହାସଲ କରିବା ଆମର ଆଗାମୀ ଏଜେଣ୍ଡା ବୋଲି କହିଥିଲେ । ଆଉ ଏହା କେବଳ ଯେ ବିଜେପି ଦଳର ଷ୍ଟ୍ରାଟେଜି ତାହା ନୁହେଁ ବରଂ ୧୯୯୪ରୁ ପୂରା ଦେଶ ଏହି ଦିନକୁ ଅନାଇ ବସିଛି । ଏପରିକି ୧୯୯୪ରେ ନରସିଂହ ରାଓ ସରକାରରେ ଏନେଇ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା ।

ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟପଟେ ସେନାମୁଖ୍ୟଙ୍କ ଏଭଳି ବୟାନ ଏବେ ପାକିସ୍ତାନରେ ବସିଥିବା ଇମ୍ରାନ ସରକାର ଛାତିରେ ଛନକା ଭରିଛି । ବାରମ୍ବାର ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ଏଭଳି ଆକ୍ରମଣାତ୍ମକ ଭଙ୍ଗୀ ଦେଖି ଭୟଭୀତ ହୋଇଛନ୍ତି । ପୂର୍ବରୁ ଧାରା ୩୭୦ ହଟିବା ପରେ ଇମ୍ରାନ ସରକାର ଯେଉଁ ମୁହଁ ଫୁଟାଣି ମାରୁଥିଲେ ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି ।