ସୁଡଙ୍ଗ ଭିତରେ ମୃତ୍ୟୁକୁ ଦେଖି ମୁହଁମାଡି ପଡିଥିଲା ଜୀବନ । ଭୟ ଭିତରେ ଦେବଦୂତ ସାଜି ବଞ୍ଚିବାର ଭରସା ଦେଲେ ଯବାନ । ଉତ୍ତରାଖଣ୍ଡ ଜଳପ୍ରଳୟ ପରେ ଯବାନଙ୍କ ତ୍ୟାଗ ଦେଖି ଦେଶବାସୀ ନୁଆଁଇଲେ ମୁଣ୍ଡ ।

74

କନକ ବ୍ୟୁରୋ: ବାହାରେ ମାଡି ଆସୁଥିଲା ମୃତ୍ୟୁ, ଭିତରେ କିଛି ଜାଣି ନଥିଲା ଜୀବନ । ଇଏ ସେହି ସୁଡଙ୍ଗ ଯେଉଁଠି ଜୀବନକୁ ଘେରାବନ୍ଦୀ କରିଥିଲା ଯମ, କବଜା କରି ରଖିଥିଲା କାଦୁଅ ମିଶା ପାଣି । ଆଉ ମୃତ୍ୟୁର ଆଁରୁ ମୁକୁଳିବାକୁ ଛଟପଟ ହେଉଥିଲା ଜୀବନ । ଜଣେ କି ଦୁଇ ଜଣ ନୁହେଁ ଏକାଧିକ ଶ୍ରମିକ ବଞ୍ଚିବା ପାଇଁ ଚିତ୍କାର କରୁଥିଲେ । ବାସ୍ ଏତିକି ବେଳେ ନିଜ ଜୀବନକୁ ପାଣି ଛଡାଇ ପ୍ରଳୟର ପାଟି ଭିତରକୁ ଡେଇଁ ପଡିଥିଲେ ବୀର ଯବାନ । ଆଉ ମୃତ୍ୟୁର ଟନେଲରୁ ଜୀବନ ଟାଣି ଆଣିବାକୁ ଆରମ୍ଭ ହୋଇଥିଲା ଅପରେସନ…

ପ୍ରକୃତି ତାଣ୍ଡବ ରଚିଯିବା ପରେ ସବୁଠି ପଡିଥିଲା ପ୍ରଳୟର ପଦଚିହ୍ନ, ବିପର୍ଯ୍ୟୟର ବିକଟାଳ ଦାଗ । ଘର, ଦ୍ୱାର, ଗାଁଗଣ୍ଡା, ବଡ ବଡ ପୋଲ ସବୁ ମାଟିରେ ମିଶିଯାଇଥିଲା । ଆଉ ସେହି ମୃତ୍ୟୁ ମିଶା ମାଟିର ଫାଶରେ ଫଶିଥିବା ଲୋକଙ୍କୁ ବଞ୍ଚାଇବାକୁ ଆଗେଇ ଯାଇଥିଲେ ଆଇଟିବିପିର ଯବାନ । ଏଇ ହେଉଛି ସେହି ସମୟର ଫଟୋ ଯେଉଁଠି ଜଣେ ଯବାନ କାଦୁଅ ଭିତରେ ପଶି ଟନେଲ ଭିତରକୁ ଯାଉଛନ୍ତି ଆଉ ସୁଡଙ୍ଗ ଭିତରେ ଫଶିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।

ତେବେ ଦୀର୍ଘ ସମୟର ଅପରେସନ ପରେ ତପୋବନ ନିକଟରେ ଥିବା ନିର୍ମାଣଧୀନ ଟନେଲ ଭିତରୁ ୧୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ଇଏ ହେଉଛି ସେହି ଉଦ୍ଧାର ସମୟର ଭାବବିହ୍ୱଳର ଦୃଶ୍ୟ । ମୃତ୍ୟୁର ଗାତରୁ ଜୀବନକୁ ଛଡାଇ ଆଣିବା ପରେ ଜଣେ ଲୋକ କେମିତି ଖୁସିରେ ଆତ୍ମହରା ହେଉଛି ଆଉ ଦେବଦୂତ ସାଜିଥିବା ଯବାନଙ୍କୁ କେମିତି ହାତଯୋଡି ଶବ୍ଦହୀନ ଧନ୍ୟବାଦ ଜଣାଉଛି ତାହା ଏ ଦୃଶ୍ୟରୁ ବେଶ ବାରିହୋଇ ପଡୁଛି । ଖାଲି ସେ ନୁହେଁ ବରଂ ଉଦ୍ଧାର ପରର ଖୁସି ଯବାନଙ୍କ ମୁହଁରେ ହସ ହୋଇ ଫୁଟିଛି…

ରାତିସାରା ଚାଲିଥିଲା ଟନେଲ ଭିତରେ ଜୀବନ ଖୋଜା । ୧୬ ଜଣ ଉଦ୍ଧାର ପରେ ବି ଆଉ ୩୭ ଜଣ ଶ୍ରମିକ ଫଶିଥିବା ସୂଚନା ମିଳିବା ପରେ ଜେସିବି ଲଗାଇ ଚାଲିଥିଲା ଅପରେସନ । ହେଲେ ସେନାର ସବୁ ପ୍ରଚେଷ୍ଟା ବୃଥା ହୋଇଥିଲା । କାଦୁଅର ସ୍ତର ଏତେ ଅଧିକ ଯେ ଆଗକୁ ଯିବା ଅସମ୍ଭ ଥିଲା । ସେପଟେ ଉତ୍ତରାଖଣ୍ଡରେ ଉଦ୍ଧାରକାମ ତ୍ୱରାନ୍ୱିତ କରିବାକୁ ରାତାରାତି ଘଟଣାସ୍ଥଳରେ ପହଞ୍ଚିଥିଲା ଏନଡିଆରଏଫ, ଏସଡିଆରଏଫ, ଆର୍ମି । ଉଦ୍ଧାରକାମରେ ଆଇଟିବିପି ଯବାନଙ୍କ ସହ ମୋଟ ୨୫୦ ଯବାନ ସାମିଲ ହୋଇ ଟନେଲରେ ପଶିଥିଲେ ହେଁ ୧୦୦ ମିଟର ପରେ ଆଉ ଆଗକୁ ଯାଇହୋଇ ନଥିଲା । ସୁଡଙ୍ଗ ସାରା କାଦୁଅ ଓ ମଇଳା ଭର୍ତ୍ତି ଥିବାରୁ ଉଦ୍ଧାରକାମରେ ବାଧା ସୃଷ୍ଟି ହୋଇଥିଲା । ସେପଟେ କାଦୁଅର ଏ ଭୟଙ୍କର ସ୍ତର ଭିତରେ ଫଶିଥିବା ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା ଅଧିକ ବଢିବଢି ଯାଉଛି । ତଥାପି ରାତିର ଅନ୍ଧାର ଭିତରେ ନୂଆ ଆଶା ନେଇ ଜୀବନ ଅଣ୍ଡାଳୁଛନ୍ତି ଯବାନ । କାଳେ କେଉଁଠି କିଏ ବଞ୍ଚିଯାଇଥିବେ । ସତରେ ଯବାନଙ୍କ ଏ ତ୍ୟାଗ ଆଗରେ ନଇଁଯାଉଛି ମୁଣ୍ଡ ।