ଚୀନ ସୀମାରେ ଉତ୍ତେଜନା ଭିତରେ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳୀନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି ।

489

କନକ ବ୍ୟୁରୋ : ଚୀନ ସୀମାରେ ଉତ୍ତେଜନା ଭିତରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସଜାଗ ଭାରତ । ୧୫ଦିନ ପାଇଁ ଯୁଦ୍ଧକାଳୀନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ସେନାକୁ କେନ୍ଦ୍ରର ଅନୁମତି । ପୂର୍ବରୁ ୧୦ଦିନ ପାଇଁ ମହଜୁଦ ରଖାଯାଉଥିଲା ଅସ୍ତ୍ରଶସ୍ତ୍ର । ଅଧିକ ଅସ୍ତ୍ର ଗଚ୍ଛିତ ରଖିବାକୁ ତିନି ସେନାକୁ ପ୍ରାୟ ଅଧିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁୁ ହେବ ।

ଲଦାଖ ସୀମାରେ ଚୀନ୍ ସହ ଦୀର୍ଘ ମାସର ଉତ୍ତେଜନା ଜାରି ରହିଥିବା ବେଳେ ଏକ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ୧୫ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ ମହଜୁଦ ରଖିବାକୁ ସେନାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ସରକାର । ପୂର୍ବରୁ ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରହୁଥିଲା । ହେଲେ ଚୀନ୍ ସହ ଉତ୍ତେଜନା, ଏପଟେ ପାକିସ୍ତାନର ଶତ୍ରୁ ମନୋଭାବକୁ ଦେଖି ଏହି ନିଷ୍ପତି ନିଆଯାଇଛି । ଉଭୟ ପଟୁ କୌଣସି ବି ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହୁଛି ସେନା ।

ଏବେ ଯୁଦ୍ଧ ପରିସ୍ଥିତିରେ ୧୫ ଦିନ ଲଢ଼ିବା ଭଳି ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖାଯିବ । ଏହି ଅଧିକ ଅସ୍ତ୍ର ଗଚ୍ଛିତ ରଖିବାକୁ ତିନି ସେନାକୁ ପ୍ରାୟ ଅଧିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁୁ ହେବ ।

କିଛି ବର୍ଷ ପୂର୍ବରୁ ଯୁଦ୍ଧ ପରିସ୍ଥିତିରେ ୪୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବାକୁ ନିଷ୍ପତି ହୋଇଥିଲା । ହେଲେ ଏସବୁକୁ ମହଜୁଦ ରଖିବା ଏକ କଷ୍ଟକର ବ୍ୟାପାର । ଏହାଛଡ଼ା ସମୟ ସହ ଯୁଦ୍ଧର କୌଶଳ ଓ ଉପକରଣ ବଦଳୁଥିବାରୁ ଏତେ ଦିନ ପାଇଁ ମହଜୁଦ ରଖିବାକୁ ନେଇ ପ୍ରଶ୍ନ ଉଠିଥିଲା । ଏହାପରେ ଏହାକୁ ୧୦ ଦିନକୁ କମାଇ ଦିଆଯାଇଥିଲା ।

ଉରି ଆକ୍ରମଣ ପରେ ଅନୁଭବ କରାଯାଇଥିଲା ଯେ, ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ର ଗଚ୍ଛିତ ନାହିଁ । ଏହାକୁ ବଢ଼ାଇବା ପାଇଁ ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ସେନାକୁ ଅନୁମତି ଦେଇଥିଲେ । ଏହା ସହ ପ୍ରତିବାହିନୀର ଆର୍ଥିକ କ୍ଷମତାକୁ ଶହେ କୋଟିରୁ ୫ଶହ କୋଟି ଯାଏଁ ବଢାଇ ଦିଆଯାଇଥିଲା ।

ସ୍ଥଳ, ଜଳ ଓ ବାୟୁସେନା ଜରୁରୀକାଳିନ ପରିସ୍ଥିତିରେ ନିଜର ଆଶୁ ଆବଶ୍ୟକତା ପୂରଣ କରିବା ପାଇଁ ଅତିରିକ୍ତ ୩ଶହ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ । ଏହାଦ୍ୱାରା ଶତ୍ରୁପକ୍ଷର କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ମିଳିତ ସେନାର ଆକ୍ରମଣ ଶାଣିତ ହେବା ସହ ତାହା ପୂର୍ବ ଅପେକ୍ଷା ଅଧିକ ଦିନ ଧରି ତିଷ୍ଠି ପାରିବ । ଏବେ ତିନି ସେନା କୌଣସି ଦ୍ୱିପାକ୍ଷିକ ଯୁଦ୍ଧର ୧୫ଦିନିଆ ପ୍ରସ୍ତୁତି ପାଇଁ ଆବଶ୍ୟକ ସରଞ୍ଜାମ ମହଜୁଦ କରିଚାଲିଥିବା ଜଣାପଡିଛି । ମୁଖ୍ୟତଃ ଉତ୍ତର ପଟୁ ଚୀନ ପକ୍ଷରୁ ଜାରି ରହିଥିବା ଗତିରୋଧ ଚରମ ରୂପ ନେବାର ଆଶଙ୍କା ଥିବା ପରିପ୍ରେକ୍ଷୀରେ ସେନା ବାହିନୀକୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା ଚର୍ଚ୍ଚା ହେଉଛି ।