କୃଷି ଆଇନ ପ୍ରତ୍ୟାହାର ପରେ ଚାରିଆଡେ ଖୁସିର ମାହୋଲ, ମୁଜଫରନଗରରେ ନାଚଗୀତ, କାନପୁରରେ ଫୁଟୁଛି ବାଣ, ଦିଲ୍ଲୀ ସୀମାରେ ଚାଲିଛି ମିଷ୍ଠାନ ବଣ୍ଟନ

120

କନକ ବ୍ୟୁରୋ : ଆଜି ପବିତ୍ର ଗୁରୁ ପୂର୍ଣ୍ଣମୀ ସହ ପ୍ରଧାନମନ୍ତ୍ରୀ ସକାଳେ ଯେଭଳି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କଲେ ଏହାପରେ ଚାରିଆଡେ କୃଷକମାନେ ମହୋତ୍ସବ ପାଳନ କରିବାରେ ଲାଗିଛନ୍ତି । ଏନେଇ ସବୁଠାରୁ ଅଧିକ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ଦିଲ୍ଲୀର ଗାଜିପୁର ସୀମାରେ । ଏଠାରେ ବିଜୟ ଉତ୍ସବ ପାଳନ ଅବସରରେ କୃଷକମାନେ ଜିନ୍ଦାବାଦ ନାରା ପକାଇବା ସହ ସଂଯୁକ୍ତ କିଷାନ ମୋର୍ଚ୍ଚାର ପଦାଧିକାରୀମାନେ କହିଛନ୍ତି କି ଏହା କୌଣସି ହାରିବ କି ଜିତିବାର କଥା ନୁହେଁ, ଅନ୍ନଦାତାମାନେ କର୍ପୋରେଟ ସରକାର ଠାରୁ ଦେଶକୁ ରକ୍ଷା କରିବାରେ ସଫଳ ହୋଇଛନ୍ତି ।

ସଂଯୁକ୍ତ କିଷାନ ମୋର୍ଚ୍ଚାର ପଦାଧିକାରୀମାନେ କହିଛନ୍ତି କି ପ୍ରଧାନମନ୍ତ୍ରୀ ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ସତ ହେଲେ ସଂସଦରେ ଏହାକୁ ନିରସ୍ତ୍ର କରିବାରେ ସରକାର କେଉଁ ନୀତି ଆପଣାଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ କୃଷକ ଆନ୍ଦୋଳନକୁ ନେଇ ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ହୋଇଥିବା ମକଦ୍ଦମା ଉପରେ ସରକାର ତାଙ୍କ ମତ ସ୍ପଷ୍ଟ କରିନଥିବାରୁ ଏହାକୁ ନେଇ ସରକାର କ’ଣ କରିବେ ତାହା ଉପରେ ଆନ୍ଦୋଳନକାରୀଙ୍କ ନଜର ରହିଛି ।

ପ୍ରଧାନମନ୍ତ୍ରୀ ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ ଉତ୍ସବ ଭଳି ମାହୋଲ ଦେଖିବାକୁ ମିଳିଛି । ଗାଜିପୁର ସୀମାରେ ଆନ୍ଦୋଳନରତ କୃଷକମାନେ ବାଜା ବଜାଇ ବିଜୟ ଉତ୍ସବ ପାଳନ କରୁଛନ୍ତି ତ ମୁଜାଫରନଗରରେ କୃଷକମାନେ ନାଚଗୀତ ମାଧ୍ୟମରେ ବିଜୟ ପାଳନ କରୁଛନ୍ତି । ଅନ୍ୟପଟେ ଉତ୍ସବ ମନାଉଥିବା କୃଷକମାନେ କହିଛନ୍ତି କି କେବଳ ଆଇନ ପ୍ରତ୍ୟାହାର ନୁହେଁ ସେମାନେ ଉଠାଇଥିବା ସମସ୍ତ ପ୍ରସଙ୍ଗ ଉପରେ ସରକାର ସହମତି ପ୍ରକାଶ କରିବା ପରେ ଆନ୍ଦୋଳନ ପ୍ରତ୍ୟାହ୍ରୁତ ହେବ ।

ସେପଟେ କାନପୁର ଠାରେ କୃଷକମାନେ ବାଣ ଫୁଟାଇ ଉତ୍ସବ ପାଳୁଛନ୍ତି ତ ମନ୍ଧନା ଅଞ୍ଚଳରେ କୃଷକମାନେ ନିଜ କ୍ଷେତରେ ଫୁଲଝଡି ଜଳାଇ ଉତ୍ସବ ପାଳନ କରୁଛନ୍ତି । ସେମାନେ କହିଛନ୍ତି ପ୍ରଧାନମନ୍ତ୍ରୀ ଡେରିରେ ହେଉପଛେ କର୍ପୋରେଟ ମାୟାରୁ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା କରିଛନ୍ତି ।

ଗାଜୀପୁର ସୀମାରେ ଆନ୍ଦୋଳନରେ ସାମିଲ ଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରବକ୍ତା ଜଗତାର ସିଂ ବାଜବା କହିଛନ୍ତି ଏହା କୃଷକ ଓ ଶ୍ରମିକ ସଂଗଠିତ ହେବାର ଫଳ । ତେଣୁ ଦେଶର ପ୍ରତିଟି ନାଗରିକ ତାର ହକ୍ ପାଇବାକୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ କୃଷକମାନେ ପ୍ରେରଣା ଦେଇଛନ୍ତି ।

ମେରଠର ସିବାୟା ଟୋଲ ପ୍ଲାଜା ନିକଟରେ ୬ ମାସ ଧରି ଧାରଣାରେ ବସିଥିବା କୃଷକମାନେ ସରକାରଙ୍କୁ ଧନ୍ୟବାଦ ଦେବା ସହ ସରକାର ଏହାକୁ ଲିଖିତ ଆକାରରେ ଦେବାକୁ ଦାବି କରିଛନ୍ତି । ମୁରାଦବାଦ ଠାରେ ଆନ୍ଦୋଳନ ସ୍ଥଳରୁ କୃଷକ ନେତା ହରପାଲ ସିଂ କହିଛନ୍ତି କି କୃଷକ ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ୭୦୦ କୃଷକଙ୍କ ପରିବାର ପ୍ରତି ସରକାର ସହାୟକ ହୁଅନ୍ତୁ ।