ସୁପ୍ରିମୋଙ୍କୁ ଜବାବ ମାଗିଲେ ସାଂସଦ । ଟିକେଟ ନ ଦେବାର କାରଣ ପଚାରିଲେ ଅର୍କକେଶରୀ, କହିଲେ, ଦଳରେ ଆବଶ୍ୟକତା ଅଛି ନା ନାହିଁ ଜଣାଇଦିଅ ।

921

କନକ ବ୍ୟୁରୋ : ଟିକେଟ କଟିବା ପରେ ବିଜେଡି ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି ଅର୍କକେଶରୀ ଦେଓ । ନିଜର ଅସନ୍ତୋଷ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଅର୍କ । ଟିକେଟ ନ ମିଳିବା ନେଇ ପ୍ରତିବାଦ କରିବା ସହ ନିଜର ଅସନ୍ତୋଷ ଜାହିର କରିଛନ୍ତି ଅର୍କକେଶରୀ । ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିବା ସହ କାହିଁକି ମୋର ଟିକେଟ କଟାଯାଇଛି ତାହାର କାରଣ ଚିଠିରେ ପଚାରିଛନ୍ତି ଅର୍କକେଶରୀ । ଏପରିକି ଦଳ ଯଦି ମୋର ଆବଶ୍ୟକତା ଅନୁଭବ କରୁନାହିଁ ତେବେ ସୁପ୍ରିମୋ ଜଣାଇ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ଦଳରୁ ଇସ୍ତଫା ଦେବା ନେଇ ମୁହଁ ଖୋଲିନାହାନ୍ତି ଅର୍କକେଶରୀ ।

ଟିକେଟ ନ ମିଳିବା ପରେ ଦିଲ୍ଲୀ ଗସ୍ତରେ ଅର୍କକେଶରୀ ଯାଇଥିବା ବେଳେ ସେ ଖୁବଶୀଘ୍ର ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାପୂର୍ବରୁ ଗତକାଲି କଳାହାଣ୍ଡି ଲୋକସଭା ଆସନ ପାଇଁ ଅର୍କକେଶରୀଙ୍କ ବଦଳରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ । ଯାହାକୁ ନେଇ ଆଜି ପ୍ରଶ୍ନ ମଧ୍ୟ ଉଠାଇଥିଲେ କଳାହାଣ୍ଡି ସାଂସଦ । ଶେଷ ପର୍ଯ୍ୟନ୍ତ ଟିକେଟ ଦେବାକୁ ତାଙ୍କୁ ପ୍ରତିଶୃତି ଦିଆଯାଇ ଥିବାବେଳେ ନବୀନଙ୍କ ଘୋଷଣା ତାଙ୍କୁ ନିରାଶ କରିଥିବା କହିଛନ୍ତି ଅର୍କକେଶରୀ ।

ଅର୍କକେଶରୀ କହିଛନ୍ତି, ସେ ବିଜେଡିରେ ଯୋଗ ଦେବା ପରେ ଦଳ ଏଠାରେ ପ୍ରଥମ ଥର ପାଇଁ ଖାତା ଖୋଲିଥିଲା । ଏପରିକି ସେ ଦଳକୁ ଆସିବା ପରେ କଳାହାଣ୍ଡି ମ୍ୟୁନିସପାଲଟି ନିର୍ବାଚନରେ ମଧ୍ୟ ଦଳ ସଫଳତା ହାସଲ କରିଥିଲା । କିନ୍ତୁ ଏହାପରେ ମଧ୍ୟ ଟିକେଟ କାଟିଦେବା ତାଙ୍କୁ ଶକ୍ତ ଧକ୍କା ଦେଇଛି । ଏପରି ଦଳ ଏଠାରେ ପୁଷ୍ପେନ୍ଦ୍ରଙ୍କୁ ପ୍ରାର୍ଥୀ କରିଛି, କିନ୍ତୁ ତାଙ୍କ ନେତୃତ୍ୱରେ ହିଁ ଦଳ ଗତ ପଞ୍ଚାୟତ ନିର୍ବାଚନରେ ପରାଜୟବରଣ କରିଥିଲା ବୋଲି ବିଜେଡି ସୁପ୍ରିମୋଙ୍କୁ ମନେ ପକାଇ ଦେଇଛନ୍ତି ଅର୍କକେଶରୀ ।