ବୁଝାଇଲେ ନବୀନ, ମାନିଗଲେ ଅର୍କ । ବିଜେଡିର ଶୃଙ୍ଖଳିତ ସିପାହୀ ଭାବେ ଦଳରେ ରହି କାମ କରିବାକୁ ଦେଲେ ପ୍ରତିଶୃତି

569

କନକ ବ୍ୟୁରୋ : ବୁଝିଗଲେ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା ପରେ ବୁଝି ଯାଇଛନ୍ତି ଅର୍କ । ଅର୍କଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେଓ ବି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଅର୍କକେଶରୀ ଓ ମାଳବିକା ଉଭୟେ କହିଛନ୍ତି ସେମାନେ ଦଳରେ ଅଛନ୍ତି ଓ ଦଳ ପାଇଁ କାମ କରିବେ । କଳାହାଣ୍ଡି ସଂସଦ ଅର୍କକେଶରୀଙ୍କୁ ୨୦୧୯ ନିର୍ବାଚନ ପାଇଁ ବିଜେଡି ଟିକେଟ ନଦେବା ପରେ ଅସନ୍ତୋଷ ଜାହିର କରିଥିଲେ ଅର୍କ କେଶରୀ । ଏମିତିକି ଅର୍କକେଶରୀଙ୍କୁ ଟିକେଟ ନମିଳିଲେ ମହିଳା ଚେହେରା ଭାବେ ଟିକେଟ ଦାବି କରିଥିଲେ ପତ୍ନୀ ମାଳବିକା ଦେଓ । ହେଲେ ଅର୍କ କି ମାଳବିକା କାହାକୁ ବି ଟିକେଟ ମିଳିନଥିଲା ।

ବିଜେଡି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ କଳାହାଣ୍ଡି ଲୋକସଭା ପ୍ରାର୍ଥ କରିବା ପରେ ପୁଷ୍ପେନ୍ଦ୍ରଙ୍କ ବିରୋଧରେ ଗଣମାଧ୍ୟମରେ ବର୍ଷିବା ସହ ଦଳଛାଡିବା ନେଇ ବି ପରୋକ୍ଷରେ ଇସାରା ଦେଇଥିଲେ ଅର୍କ କେଶରୀ । ଏହା ଭିତରେ ସେ ବିଜେପି ନେତା କେଭି ସିଂଦେଓଙ୍କୁ ଭେଟିଥିଲେ । ତେବେ ଏହାକୁ ପାରିବାରିକ ସଂପର୍କ ଜନିତ ସାକ୍ଷାତ ଥିଲା ବୋଲି କହିଛନ୍ତି ମାଳବିକା । ହେଲେ ଦଳବଦଳ ବା ବିବାଦ ବଢିବା ପୂର୍ବରୁ ଦଳୀୟ ସୁପ୍ରିମୋଙ୍କ ସହ ଆଲୋଚନା କରି ବୁଝି ଯାଇଛନ୍ତି ଅର୍କ କେଶରୀ ଦେଓ । ଏହା ସହ ଶୃଙ୍ଖଳିିତ କର୍ମୀର ପରିଚୟ ବି ଦେଇଛନ୍ତି । ଏସବୁ ଭିତରେ ଆଗକୁ ଅର୍କ କେଶରୀ ଦେଓ ଓ ମାଳବିକା ଦେଓ କେଉଁ ଭୂମିକାରେ ନଜର ଆସିବେ ତାକୁ ଅପେକ୍ଷା କରିବାକୁ ପଡିବ ।