ଅର୍ଜୁନ-ନାଗାର୍ଜୁନ ଯୁଦ୍ଧ କଥା : ଯୁଦ୍ଧର ଅନ୍ତିମ ପରିଣତି ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ

654

କନକ ବ୍ୟୁରୋ : ଆମ ଆଦିକବି ସାରଳା ଦାସଙ୍କ ‘ମହାଭାରତ’ ହେଉଛି କାହାଣୀର ଗନ୍ତାଘର । ଯୁଗେଯୁଗେ ଜନସମାଜରେ ପ୍ରଚଳିତ କାହାଣୀ, କିଂବଦନ୍ତିରୁ ସେ ଯେପରି ଉପାଦାନ ନେଇଛନ୍ତି, ସେହିପରି ମଧ୍ୟ, ତାଙ୍କ ରଚିତ ‘ମହାଭାରତ’ ଦ୍ୱାରା ଓଡ଼ିଶାର ଲୋକପରଂପରା ଓ ସଂସ୍କୃତି ପୁଷ୍ଟ ହୋଇଛି । ଅର୍ଜୁନ-ନାଗାର୍ଜୁନ ଯୁଦ୍ଧ କଥା ତାହାର ଏକ ଦୃଷ୍ଟାନ୍ତ ଏବଂ ସେଥିରେ ମଧ୍ୟ ରହିଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶର ଏକ ରୋଚକ ପୃଷ୍ଠଭୂମି ।

କାହାଣୀଟି ଅଛି ସାରଳା ଦାସଙ୍କ ‘ମହାଭାରତ’ର ‘ସଭାପର୍ବ’ରେ । ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞପାଇଁ ଶେଷନାଗ ଅନନ୍ତଙ୍କୁ ନିମନ୍ତ୍ରଣ କରିବାକୁ ପାତାଳଲୋକକୁ ଯାଇଥିଲେ ଅର୍ଜୁନ । କିନ୍ତୁ ଶେଷନାଗ ଅନନ୍ତ ତାଙ୍କୁ ମନା କରିଦେଲେ । କହିଲେ, ମୋର ଗୋଟିଏ ଫଣାରେ ମୁଁ ପୃଥିବୀକୁ ଧରି ରଖିଥିବାରୁ, ଏହି ନିମନ୍ତ୍ରଣ ରକ୍ଷା କରିବା ମୋ ପକ୍ଷରେ ସମ୍ଭବ ହେବ ନାହିଁ । ସେଥିପାଇଁ ଅର୍ଜୁନ ନିଜର ଧନୁ ହୁଳରେ ୧୭ ଦିନ ଧରି ପୃଥିବୀକୁ ଧାରଣ କଲେ । ତାହା ଫଳରେ ଅନନ୍ତ ରାଜସୂୟ ଯଜ୍ଞରେ ଯୋଗ ଦେଇପାରିଥିଲେ ।

ସାରଳା ଦାସଙ୍କ ‘ମହାଭାରତ ଅନୁସାରେ, ଏହି ଶେଷନାଗ ଅନନ୍ତଙ୍କର କନ୍ୟା ହେଉଛନ୍ତି ‘ସନ୍ଧ୍ୟାବାଳୀ’ । ସେତେବେଳେ ଅର୍ଜୁନଙ୍କ ସହିତ ତାଙ୍କର ପ୍ରଣୟ ହୋଇଥିଲା । ଅର୍ଜୁନ ପାତାଳଲୋକରୁ ଫେରିଆସିବା ବେଳକୁ ସନ୍ଧ୍ୟାବାଳୀ ଥିଲେ ଗର୍ଭବତୀ । ଅର୍ଜୁନ ସନ୍ଧ୍ୟାବାଳୀଙ୍କ ଦ୍ୱାର ଦେଶରେ ଗୋଟିଏ ଅର୍ଜୁନ ଗଛ ରୋପଣ କରି ତାଙ୍କୁ କହିଥିଲେ- “ଏ ବୃକ୍ଷ ମୋର ପ୍ରତିରୂପ । ତୁମେ ତୁମର ରସକାଳରେ ସୁବେଶ ହୋଇ ଏହି ବୃକ୍ଷକୁ କୋଳାଗ୍ରତ କଲେ ମୋର ଅଙ୍ଗସଙ୍ଗର ସୁଖ ଲାଭ କରିପାରିବ । ଯେତେକାଳ ଯାଏ ଏ ବୃକ୍ଷ ଜୀବିତ ଥିବ, ସେତେକାଳ ଯାଏ ମୁଁ ଜୀବିତ ଅଛି ବୋଲି ଜାଣିବ ।”

ଦଶମାସ ପୂର୍ଣ୍ଣ ହେବା ପରେ ସନ୍ଧ୍ୟାବାଳୀଙ୍କର ଗୋଟିଏ ପୁତ୍ରସନ୍ତାନ ଜାତ ହେଲା । ଅର୍ଜୁନ କହିଥିବା ଅନୁସାରେ, ନାଗକନ୍ୟା ସନ୍ଧ୍ୟାବାଳୀ ଦୁହିଁଙ୍କର ନାମକୁ ମିଶାଇ ତାହାର ନାମ ରଖିଲେ ‘ନାଗାର୍ଜୁନ’ ।

ଥରେ ତକ୍ଷକ ନାଗଙ୍କ ପୁତ୍ର ବାତାପୀ ସହିତ ନାଗାର୍ଜୁନଙ୍କର କଳିଗୋଳ ହେଲା ଏବଂ ବାତାପୀ ତାଙ୍କୁ ବହୁତ କଟୁକଥା କହିଲେ । ସେ ଅକୁଳ ଓ ଅମୂଳ ଏବଂ ତାଙ୍କର ପିତା କିଏ ସେକଥା କାହାକୁ ଜଣାନାହିଁ ବୋଲି କହିବାରୁ, ନାଗାର୍ଜୁନ କାନ୍ଦିକାନ୍ଦି ଯାଇ ମାଆ ସନ୍ଧ୍ୟାବାଳୀଙ୍କୁ ନିଜ ପିତାଙ୍କର ପରିଚୟ ପଚାରିଲେ । ସନ୍ଧ୍ୟାବାଳୀ କହିଲେ, “ତୋର ପିତା ପରମବୀର ଓ ଜଗତଖ୍ୟାତ । ପଞ୍ଚଜୟନ୍ତୀ, ହସ୍ତିନା, ଇନ୍ଦ୍ରପ୍ରସ୍ଥ, ଯମପ୍ରସ୍ଥ ଓ ବାରୁଣାବନ୍ତ ହେଉଛି ତାଙ୍କର ନିବାସ । ତେଣୁ ତୁ ବୀରପୁତ୍ର । ତୁ କାହାରିକୁ ଖାତର କରନା ।”

ତାହା ଶୁଣି ନାଗାର୍ଜୁନ ମାତା ସନ୍ଧ୍ୟାବାଳୀଙ୍କୁ କହିଲେ, “ମୁଁ ଯୋଦ୍ଧା ନୁହେଁ କି ଅସ୍ତ୍ରବିଦ୍ୟା ମୋତେ ଜଣାନାହିଁ । ଏଣୁ ମୁଁ ଏ ପାତାଳଲୋକରୁ ମଧ୍ୟଭୁବନ (ମର୍ତ୍ତ୍ୟ)କୁ ଯାଇ ମୋ ପିତାଙ୍କୁ ଭେଟିବି। ସେଠୁ ଯୁଦ୍ଧବିଦ୍ୟା ଶିଖି ଫେରିବି । ଏ ନାଗଲୋକର ନାଗପୁତ୍ରମାନଙ୍କୁ ନିପାତ କରିବାର ଶକ୍ତି ନେଇ ଫେରିଆସିବି ।” ସନ୍ଧ୍ୟାବାଳୀ ସେଥିପାଇଁ ତାଙ୍କୁ ଅମୃତଲଡ଼ୁ ଦେଲେ ଓ ଆଶୀର୍ବାଦ କଲେ ।

ନାଗାର୍ଜୁନ ମର୍ତ୍ତ୍ୟଲୋକକୁ ଯାଇ ଅନେକ ସ୍ଥାନ ଭ୍ରମଣ କଲେ । ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖି ଦେଖି ବୁଲୁବୁଲୁ ଦିନେ ଯାଇ ଶିବଙ୍କର ଉଦ୍ୟାନବନରେ ପହଞ୍ଚିଲେ । ସେହି ଉଦ୍ୟାନବନର ଦ୍ୱାରପାଳ ଥିଲେ ଗଣେଶ । ତାଙ୍କ ସହିତ ବନ୍ଧୁତା କରି ପଚାରିଲେ, “ମୁଁ ଶିବଙ୍କର ଦର୍ଶନ ଓ ଆଶୀର୍ବାଦ କିପରି ପାଇବି?” ଗଣେଶ କହିଲେ, “ଏକଧ୍ୟାନରେ ତୁମେ ରୁଦ୍ରପୂଜା କର । ସେ ପ୍ରସନ୍ନ ହେଲେ ତୁମକୁ ଦର୍ଶନ ଦେବେ ଏବଂ ତୁମେ ତାଙ୍କର ଆଶୀର୍ବାଦ ପାଇପାରିବ ।”

ନାଗାର୍ଜୁନ କାଶୀ ନଦୀ ତଟରେ ଏକ ବାଲୁକାଲିଙ୍ଗ ସ୍ଥାପନ କରି ଏକାଗ୍ର ଚିତ୍ତରେ ଶିବଙ୍କୁ ଧ୍ୟାନ କଲେ । ଦୀର୍ଘବର୍ଷର  କଠୋର ତପସ୍ୟା ପରେ ଶିବ ପ୍ରସନ୍ନ ହୋଇ ତାଙ୍କୁ ଦର୍ଶନ ଦେଲେ ଏବଂ ବର ଯାଚିଲେ । ନାଗାର୍ଜୁନ ତାଙ୍କୁ ଦଶଟିବର ମାଗିଲେ । କିନ୍ତୁ ସେସବୁର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅମର ହେବା । ସେହି ବର ଦେବା ସହିତ ଶିବ ତାଙ୍କୁ ପିନାକଧନୁ, ଅକ୍ଷୟ ତୂଣୀର ଓ ପାଶୁପତ ଅସ୍ତ୍ର ଆଦି ଅନେକ ଅସ୍ତ୍ରଶସ୍ତ୍ର ଦେଲେ । ନାଗାର୍ଜୁନ ଖୁବ୍ ଖୁସି ହୋଇଯାଇ କହିଲେ, “ତୁମେ ମୋର ପିତା ଓ ପାର୍ବତୀ ମୋର ମାତା । ଗଣେଶ ଓ କାର୍ତ୍ତିକ ମୋର ଜ୍ୟେଷ୍ଠ ଭ୍ରାତା ।” ଶିବ ଓ ପାର୍ବତୀ ତାଙ୍କୁ ପୁତ୍ର ଭାବେ ଏବଂ ଗଣେଶ ଓ କାର୍ତ୍ତିକ ତାଙ୍କୁ ଭ୍ରାତା ଭାବେ ଗ୍ରହଣ କରି ଆହୁରି ଅନେକ ଅସ୍ତ୍ରଶସ୍ତ୍ର ଓ ଉପହାର ଦେଲେ । ସେ ହେଲେ ଶିବଙ୍କ ଉଦ୍ୟାନବନର ଦ୍ୱାରପାଳ। ମାତା ପାର୍ବତୀ ତାଙ୍କୁ ନିଜର ପ୍ରିୟ ଗଣ୍ଡାଟିର ରକ୍ଷଣାବେକ୍ଷଣ କରିବାର ସ୍ୱତନ୍ତ୍ର ଦାୟିତ୍ୱ ଦେଲେ ।

ତେଣେ, ଦିନେ ନାରଦ ଯାଇ ପହଞ୍ଚିଲେ ହସ୍ତିନାପୁରରେ । ଯୁଧିଷ୍ଠିର ତାଙ୍କର ଆଦର, ସତ୍କାର କରିବା ପରେ, ପିତା ପଣ୍ଡୁ ସେପୁରରେ କିପରି ଅଛନ୍ତି ବୋଲି ପଚାରିଲେ । ନାରଦ ତାଙ୍କୁ କହିଲେ, “ପଣ୍ଡୁ ନିଜ ଅଜାଣତରେ କିନ୍ଦମ ଋଷିଙ୍କୁ ହତ୍ୟା କରି ବ୍ରହ୍ମହତ୍ୟା ପାପ କରିଥିବାରୁ, ଏ ଯାଏ ତାଙ୍କର ସ୍ୱର୍ଗପ୍ରାପ୍ତି ହୋଇନାହିଁ । ଏପରିକି ତୁମର ରାଜସୂୟ ଯଜ୍ଞ ବି ତାଙ୍କୁ ସେହି ପାପରୁ ମୁକ୍ତ କରିପାରି ନାହିଁ । ସେ ଯମଙ୍କ ଆସନର ତିନିଟି ପାହାଚ ତଳେ ଠିଆହୋଇ ରହିଛନ୍ତି । ଏପରିକି ବସିବାପାଇଁ ବି ଯମରାଜ ତାଙ୍କୁ ଅନୁମତି ଦେଇନାହାନ୍ତି ।”

ତାହା ଶୁଣି, ଯୁଧିଷ୍ଠିର ନାରଦଙ୍କୁ ପଚାରିଲେ, “ତେବେ ସେ କିପରି ପାପମୁକ୍ତ ହେବେ?” ନାରଦ କହିଲେ, “ତୁମେ ଯଦି ଗଣ୍ଡାଟିଏ ମାରି ତାଙ୍କ ପାଇଁ କାମ୍ୟକର୍ମ କରିବ, ତେବେ ସେହି ଶ୍ରାଦ୍ଧର ଫଳ ତାଙ୍କୁ ଦେବ-ପିତୃଲୋକରେ ମିଳିବ । ତେଣୁ ତୁମେ ତୁରନ୍ତ ତାହାର ଉପାୟ କର ।”

ତାହା ଜାଣି ଯୁଧିଷ୍ଠିର ଅର୍ଜୁନଙ୍କୁ ଗଣ୍ଡାଟିଏ ଶିକାର କରିଆଣିବା ପାଇଁ ପଠାଇଲେ । ଅର୍ଜୁନ ଅନେକ ଅରଣ୍ୟ ବୁଲି ମଧ୍ୟ ଗଣ୍ଡାଟିଏର ଠାବ ପାଇପାରିଲେ ନାହିଁ । ଶେଷରେ ନାରଦ ମୁନି ତାଙ୍କୁ ବତାଇଦେଲେ ଯେ, କେବଳ ଶିବଙ୍କ ଉଦ୍ୟାନବନରେ ହିଁ ଗଣ୍ଡାଟିଏ ଅଛି । ଅର୍ଜୁନ ସେଠାକୁ ଯାଇ ସେହି ଗଣ୍ଡାକୁ ଶିକାର କଲେ ।

ଅର୍ଜୁନ ସହଜରେ ସେହି ଶିକାର କରିପାରିବାର କାରଣ ହେଉଛି- ସେତେବେଳେ ନାଗାର୍ଜୁନ ତାଙ୍କର ସ୍ୱନକ୍ଷତ୍ର (ଜନ୍ମଦିନ) ବନ୍ଦାପନା ପାଇଁ ମାଆ ସନ୍ଧ୍ୟାବାଳୀଙ୍କ ପାଖକୁ ପାତାଳଲୋକକୁ ଯାଇଥିଲେ । ସନ୍ଧ୍ୟାବାଳୀ ତାଙ୍କୁ ବନ୍ଦାପନା କରିବାବେଳେ ତାଙ୍କର ବାଁ ଆଖି ଡେଇଁଲା । ଶିବଙ୍କ ଉଦ୍ୟାନ ବନରେ ନିଶ୍ଚେ କିଛି ଅଘଟଣ ଘଟିଛି ବୋଲି ଜାଣି ସେ ତୁରନ୍ତ ଧାଇଁ ଆସି ଦେଖନ୍ତି ତ ମାତା ପାର୍ବତୀଙ୍କର ପ୍ରିୟ ଗଣ୍ଡାଟି ମରି ପଡ଼ିଛି ।

ଅର୍ଜୁନ ସେହି ଶିକାର କରିଛନ୍ତି ବୋଲି ଜାଣି ସେ ଅର୍ଜୁନଙ୍କ ସହିତ ଯୁଦ୍ଧ କଲେ । ଅର୍ଜୁନ ସେତେବେଳେ କିରାତ (ଶବର) ବେଶରେ ଥିଲେ । ଅର୍ଜୁନ ଓ ନାଗାର୍ଜୁନଙ୍କ ମଧ୍ୟରେ ହୋଇଥିବା ସେହି ଯୁଦ୍ଧର ପରିଣାମ ତଥା ତାହାର ଅନ୍ତିମ ପରିଣତି ହେଉଛି ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶର ଭିତ୍ତି । (ସେ କଥା ଆସନ୍ତାକାଲି)