ଆଇପିଏଲ ୨୦୨୧ : ସଚିନଙ୍କ ପୁଅ ଅର୍ଜୁନ କରିପାରନ୍ତି ଏଣ୍ଟ୍ରି, ନିଲାମୀରେ ଭାଗ ନେବାକୁ କରିଛନ୍ତି ରେଜିଷ୍ଟ୍ରେସନ ।

136

କନକ ବ୍ୟୁରୋ : ୨୦୨୧ ଆଇପିଏଲ ପାଇଁ ଆସନ୍ତା ଫେବ୍ରୁଆରୀ ୧୮ରେ ଖେଳାଳି ନିଲାମୀ ହେବ । ଏଥିପାଇଁ ମୋଟ ୧୦୯୭ ଜଣ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି । କିଛି ପୁରୁଣା ଚେହେରା ନିଲାମ ପ୍ରକ୍ରିୟାରୁ ବାଦ୍ ପଡିଥିବା ବେଳେ କିଛି ନୂଆ ଚେହେରା ଏଣ୍ଟ୍ରି ମାରିଛନ୍ତି । ଆଉ ଏହି ନୂଆ ଚେହେରାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅର୍ଜୁନ ତେନ୍ଦୁଲକର । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପ୍ରଥମଥର ପାଇଁ ଆଇପିଏଲର ନିଲାମୀ ପ୍ରକ୍ରିୟାରେ ଭାଗ ନେଇଛନ୍ତି । ଆଉ ସମସ୍ତଙ୍କର ନଜର ରହିଛି କେଉଁ ଟିମ୍ ଅର୍ଜୁନଙ୍କୁ କିଣିବ?

ଯଦି ଆଇପିଏଲରେ ଅର୍ଜୁନ ଏଣ୍ଟ୍ରି ମାରନ୍ତି ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । କାରଣ ପୂର୍ବରୁ ଆଇପିଏଲର ସର୍ବାଧିକ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ନେଟ ବୋଲର ରହିଛନ୍ତି ଅର୍ଜୁନ । ଏପରିକି ଚଳିତ ଥର ମୁମ୍ବାଇ ପକ୍ଷରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ମ୍ୟାଚ୍ ଖେଳିଛନ୍ତି ଅର୍ଜୁନ । ବାମହାତୀ ଦ୍ରୁତ ବୋଲର ଅର୍ଜୁନ ନିଜର ଏହି ପର୍ଦାପଣ ଟୁର୍ଣ୍ଣାମେଣ୍ଟରେ ସେଭଳି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ୩ ଓଭର ବୋଲିଂ କରି ୩୪ ରନ୍ ବ୍ୟୟ କରି ମାତ୍ର ଗୋଟିଏ ୱିକେଟ ହାତେଇଥିଲେ ଅର୍ଜୁନ । ଆଉ ଏବେ ଆଇପିଏଲରେ ନିଲାମିରେ ନିଜ ନାଁ ରେଜିଷ୍ଟ୍ରେସନ କରିଛନ୍ତି ଅର୍ଜୁନ । ମିଳିଥିବା ସୂଚନା ମୁତାବକ, ନିଲାମରେ ନିଜର ବେସ୍ ପ୍ରାଇସ ଅର୍ଜୁନ ୨୦ ଲକ୍ଷ ଟଙ୍କା ରଖିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ।

କେବଳ ଅର୍ଜୁନ ନୁହେଁ ବରଂ ଆଉ ଜଣେ ଭାରତୀୟ ଖେଳାଳି ମଧ୍ୟ ଚଳିତ ଆଇପିଏଲ ନିଲାମୀରେ ନିଜ ନାଁ ରେଜିଷ୍ଟ୍ରେସନ କରିଛନ୍ତି । ସ୍ପଟ ଫିକ୍ସିଂ ମାମଲାରେ ବିସିସିଆଇ ଦ୍ୱାରା ବ୍ୟାନ୍ ହୋଇଥିବା ଶ୍ରୀସନ୍ଥ ଦୀର୍ଘ ୭ ବର୍ଷ ପରେ ପୁଣିଥରେ ଆଇପିଏଲ ନିଲାମୀରେ ନିଜ ନାଁ ସାମିଲ କରାଇଛନ୍ତି । ୩୭ ବର୍ଷୀୟ ଶ୍ରୀସନ୍ଥ ଚଳିତଥର କେରଳ ପକ୍ଷରୁ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ପୁଣିଥରେ ଆଇପିଏଲକୁ ଫେରିବାକୁ ଚାହିଁ ବସିଛନ୍ତି । ୨୦୧୩ରେ ସ୍ପଟ ଫିକ୍ସିଂ ମାମଲାରେ ଶ୍ରୀସନ୍ଥଙ୍କୁ ବ୍ୟାନ୍ କରିଥିଲା ବିସିସିଆଇ । ତେବେ ୨୦୧୯ରେ ଶ୍ରୀସନ୍ଥଙ୍କ ଉପରୁ ଏହି ବ୍ୟାନ୍ ହଟାଯାଇଥିଲା ।

ସେହିଭଳି ବିଭିନ୍ନ ଦଳ ରିଲିଜ କରିଥିବା ଷ୍ଟାର ଖେଳାଳି ପୁଣିଥରେ ଆଇପିଏଲ ନିଲାମୀରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ହରଭଜନ ସିଂ, କେଦାର ଯାଦବ, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମିଥ, ଜାସନ ରୟ, ଆରୋନ ଫିଞ୍ଚଙ୍କ ଭଳି ବଡ ଚେହେରା ରହିଛନ୍ତି । ଚଳିତଥର ଆଇପିଏଲ ଭାରତରେ ଖେଳାଯିବା ନେଇ ଅଧିକ ସମ୍ଭାବନା ରହିଛି । ଗତଥର କରୋନା କଟକଣା ପାଇଁ ଦୁବାଇରେ ଖେଳାଯାଇଥିଲା ଆଇପିଏଲ ଟୁର୍ଣ୍ଣାମେଣ୍ଟ ।  ଖେଳାଳିଙ୍କୁ ରିଲିଜ କରିବା ପରେ କିଙ୍ଗସ ଇଲେଭନ ପଞ୍ଜାବ ସର୍ବାଧିକ ୫୩.୨୦ କୋଟି ଟଙ୍କା ସହ ନିଲାମୀ ପ୍ରକ୍ରିୟାକୁ ଓହ୍ଲାଇବ । ଅଧିକ ଟଙ୍କା ରହିଥିବାରୁ ମନପସନ୍ଦର ଖେଳାଳିଙ୍କୁ ଟିମରେ ସାମିଲ କରିବା ପାଇଁ ପଞ୍ଜାବ ପାଖରେ ସୁଯୋଗ ରହିବ ।