କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସିକୁ ବଡ ଝଟକା ଲାଗିଛି । ଦଳର ୨ଜଣ ସାଂସଦ ଏବେ ବିଜେପିରେ ଯୋଗ ଦେଇଛନ୍ତି । ବେରକପୁର ସାଂସଦ ଅର୍ଜୁନ ସିଂ ଓ ଅନ୍ୟ ଜଣେ ସାଂସଦ ଦିବ୍ୟନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଏହି ଦୁଇ ସାଂସଦ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଉପସ୍ଥିତ ଥିଲେ ।

Advertisment

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ଦିବ୍ୟନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ତମଲୁକ ଲୋକସଭା ଆସନରୁ ଟିଏମସି ତରଫରୁ ସାଂସଦ ଅଛନ୍ତି  । ହେଲେ ଚଳିତ ନିର୍ବାଚନ ପାଇଁ ମମତା ଏହି ଆସନରୁ ଦିବ୍ୟନ୍ଦୁଙ୍କ ସ୍ଥାନରେ ଦେବାଂଶୁ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ ଦେଇଛନ୍ତି । ଏଥିରେ ଅସନ୍ତୁଷ୍ଟ ହୋଇ ଦିବ୍ୟନ୍ଦୁ ବିଜେପିରେ ଯୋଗ ଦେଇଥିବା କଥା କୁହାଯାଉଛି ।

ସେହିଭଳି ବେରକପୁର ଲୋକସଭା ଆସନରୁ ସାଂସଦ ଥିବା ଅର୍ଜୁନ ସିଂ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଅର୍ଜୁନ ସିଂ ୨୦୧୯ ମସିହାରେ ବିଜେପି ଟିକେଟରୁ ବେରକପୁର ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ ସେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ ।

୨୦୨୪ ନିର୍ବାଚନ ପାଇଁ ମମତା ବାନାର୍ଜୀ ପ୍ରାର୍ଥୀ ଘୋଷଣା କରିଥିଲେ । ହେଲେ ପ୍ରାର୍ଥୀ ତାଲିକାରେ ଅର୍ଜୁନ ସିଂଙ୍କ ନାମ ନଥିଲା । ଏହି ଆସନରୁ ଟିଏମସି ପାର୍ଥ ଭୌମିକଙ୍କୁ ଟିକେଟ ଦେଇଥିଲା । ଏହାପରେ ଅର୍ଜୁନ ସିଂ ଅଭିଯୋଗ କରିଥିଲେ କି ବେରାକପୁର ଆସନରୁ ସାଂସଦ ଟିକେଟ ଦେବାକୁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମମତା ବାନାର୍ଜୀ । ହେଲେ ଏବେ ମମତା ତାଙ୍କ କଥା ରକ୍ଷା କରିନଥିବାରୁ ସେ ବିଜେପିରେ ଯୋଗ ଦେଇଛନ୍ତି ।