ହାତଯୋଡି ଅନୁରୋଧ କରୁଛି, ଅର୍ଜୁନଙ୍କୁ ଉପର ଅର୍ଡରରେ ଖେଳାଅ । ପୂରା ବିଶ୍ୱ ମନେ ରଖିବ, ଜାଣନ୍ତୁ କିଏ କହିଲେ ଏମିତି କଥା?

636

କନକ ବ୍ୟୁରୋ : ଦୀର୍ଘ ଦିନର ଅପେକ୍ଷା ପରେ ଆଇପିଏଲରେ ପଦାର୍ପଣ କରିଛନ୍ତି ଅର୍ଜୁନ ତେନ୍ଦୁଲକର । ନିଜର ପ୍ରଥମ ୪ମ୍ୟାଚରେ ଅର୍ଜୁନ ସେତେଟା ପ୍ରଭାବୀ ପ୍ରଦର୍ଶନ କରିନଥିଲେ ମଧ୍ୟ ନିରାଶ ମଧ୍ୟ କରିନାହାନ୍ତି । ପ୍ରଥମ ୪ ମ୍ୟାଚରେ ଅର୍ଜୁନ ୩ଟି ୱିକେଟ ହାସଲ କରିଛନ୍ତି । ଏହି ୪ଟି ମ୍ୟାଚରେ ଅର୍ଜୁନ ୫୯ଟି ବଲ ପକାଇ ୯୨ ରନ୍ ଦେଇଛନ୍ତି । ତେବେ ଅର୍ଜୁନଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଯୁବରାଜଙ୍କ ବାପା ତଥା ଅର୍ଜୁନଙ୍କ କୋଚ୍ ଯୋଗରାଜ ସିଂ ।

ଯୋଗରାଜ କହିଛନ୍ତି, ମୋ ହିସାବରେ ଅର୍ଜୁନ ତେନ୍ଦୁଲକରଙ୍କୁ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରାଇବା ଆବଶ୍ୟକ । ଯଦି ଅର୍ଜୁନ ଉପର ଅର୍ଡରରେ ବ୍ୟାଟିଂ କରନ୍ତି କିମ୍ବା ଓପନିଂ କରନ୍ତି ତେବେ ପୂରା ବିଶ୍ୱ ତାଙ୍କୁ ମନେରଖିବ । ଅର୍ଜୁନଙ୍କୁ କେମିତି ମ୍ୟାନେଜ କରାଯାଉଛି ତାହା ଜଣାନାହିଁ । କିନ୍ତୁ ଅର୍ଜୁନ ହେଉଛନ୍ତି ଜଣେ ଅଲରାଉଣ୍ଡର । ତେଣୁ ମୁମ୍ବାଇ ଟିମର ମ୍ୟାନେଜମେଣ୍ଟକୁ ଅନୁରୋଧ କି, ଅର୍ଜୁନ ଜଣେ ଅଲରାଉଣ୍ଡର । ତାଙ୍କୁ ଉପରେ ଖେଳିବାକୁ ସୁଯୋଗ ଦିଆଯାଉ ।

ଅର୍ଜୁନ ବୋଲିଂ ସହ ବ୍ୟାଟିଂରେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ଗୁଜରାଟ ବିପକ୍ଷରେ ୧୩ ରନର ଇନିଂସ ଖେଳିଥିବା ଅର୍ଜୁନ ଏଥିରେ ଏକ ବିଶାଳ ଛକା ମଧ୍ୟ ମାରିଥିଲେ । ବାମହାତୀ ବ୍ୟାଟର ଅର୍ଜୁନଙ୍କୁ ୪ଟି ମ୍ୟାଚରୁ କେବଳ ଗୋଟିଏ ମ୍ୟାଚରେ ବ୍ୟାଟିଂ ପାଇଁ ସୁଯୋଗ ମିଳିଛି । ସେହିଭଳି ଅର୍ଜୁନ ବିପକ୍ଷ ମ୍ୟାଚରେ ଗୋଟିଏ ଓଭରରେ ୩୧ ରନ ଦେଇ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । କିନ୍ତୁ ଗୁଜରାଟ ବିପକ୍ଷ ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରିଥିଲେ ଅର୍ଜୁନ । ୨ ଓଭରରେ ୯ ରନ୍ ଦେଇ ଗୋଟିଏ ୱିକେଟ ହାତେଇଥିଲେ ମଧ୍ୟ ଆଉ ବୋଲିଂ କରିବାକୁ ସୁଯୋଗ ପାଇନଥିଲେ ।