କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅତିରିକ୍ତ ଦାୟିତ୍ୱ । ଆଦିବାସୀ ବ୍ୟାପାର ସହ ମିଳିଲା କୃଷି ଓ କଲ୍ୟାଣ ମନ୍ତ୍ରଣାଳୟ ବିଭାଗ । ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଦାୟିତ୍ୱ ।

102

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ପଦର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ନରେନ୍ଦ୍ର ସିଂ ତୋମରଙ୍କ ଇସ୍ତଫା ମଞ୍ଜୁର ହେବା ପରେ ଅର୍ଜୁନ ମୁଣ୍ଡା ଏହି ଦାୟିତ୍ୱରେ ରହିବେ । ଅର୍ଜୁନ ମୁଣ୍ଡା ଏବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଛନ୍ତି । ମଧ୍ୟପ୍ରଦେଶରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ର କୃଷିମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୋମର । ଏହି ଇସ୍ତଫାକୁ ରାଷ୍ଟ୍ରପତି ମଞ୍ଜୁର କରିଛନ୍ତି । ସେହିପରି ପ୍ରହ୍ଲାଦ ସିଂ ପଟେଲ ଓ ରେଣୁକା ସିଂଙ୍କ ଇସ୍ତଫାକୁ ମଧ୍ୟ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଗତମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୩ଟି ବଡ଼ ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜୟ ହାସଲ କରିଛି । କିନ୍ତୁ ଫଳାଫଳକୁ ୫ ଦିନ ବିତିଯାଇଥିଲେ ବି ବିଜେପି ମୁଖ୍ୟମନ୍ତ୍ରୀ ଚୟନ କରିପାରିନାହିଁ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଶିବରାଜ ସିଂ ଚୌହାନ ଓ ନରେନ୍ଦ୍ର ସିଂ ତୋମାର ରହିଛନ୍ତି । ଇସ୍ତଫା ପରେ ନରେନ୍ଦ୍ର ସିଂ ତୋମାରଙ୍କୁ ନୂଆ ସରକାରରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ୭ ଜଣ ସାଂସଦଙ୍କ ମଧ୍ୟରୁ ୬ ଜଣ ବିଜୟୀ ହୋଇଛନ୍ତି ।