କନକ ବ୍ୟୁରୋ: ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଲେ ଅରିନ୍ଦମ ରାୟ । କହିଲେ, ବିଜେପି ତାଙ୍କ ଘରେ ଜାଗା ଦେଇଥିବାରୁ ଧନ୍ୟବାଦ । ବିଜେପି ପାଇଁ ମୁଁ ପାରୁ ପର୍ଯ୍ୟନ୍ତ କାମ କରିବି । ବିକଶିତ ଓଡିଶାକୁ ଆଗକୁ ନେବାକୁ ଚେଷ୍ଟା କରିବି । ମୋଦୀଙ୍କ ଦ୍ୱାରା ସମସ୍ତେ ପ୍ରଭାବିତ । ଦେଶ ବିଦେଶରେ ତାଙ୍କର ବେଶ ପ୍ରଭାବ ରହିଛି । ବିଜେଡିରେ ଆଉ ସେଭଳି ସ୍ୱାଧିନୀତା ନାହିଁ । ବିଜେଡିରେ ମୁଁ ଆଉ ଖାପ ଖୁଆଇ ପାରିଲିନାହିଁ । ବିଜେଡିରେ ଆଉ ଆଗଭଳି କଥା ନାହିଁ । ଦଳର ଲିଡରଙ୍କୁ ଭେଟିବା ବି ସମ୍ଭବ ହେଲାନି । ବିଜେଡିରେ ସାଚ୍ୟୁରେସନ ପଏଣ୍ଟ ଆସିଗଲାଣି । କିଛି ବର୍ଷ ଧରି ବିଜେଡି ପାଇଁ ବହୁ କାମ କରିଛି । ବିଜେଡି ଦଳ ପାଇଁ ବହୁତ କିଛି କରିଛି । ଯେଉଁ ଦଳରେ ସମ୍ମାନ ମିଳିଲା ସେଠିକୁ ଆସିଲି ।

ଆଜି ବିଜେଡି ଛାଡିଥିଲେ ଅରିନ୍ଦମ ରାୟ । ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହାର ଠିକ କିଛି ସମୟ ପରେ ସେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ । ପୂର୍ବରୁ ଅରିନ୍ଦମଙ୍କ ରାଜନୈତିକ ଗତି ନେଇ ଚର୍ଚ୍ଚା ଲାଗି ରହିଥିଲା । ବିଜେପି ନେତା ପ୍ରକାଶ ବେହେରା ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବିଷ୍ଣବଙ୍କ ସହ ସାକ୍ଷାତ ବି କରିଥିଲେ ଅରିନ୍ଦମ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଅରିନ୍ଦମ ଏବେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।