କନକ ବ୍ୟୁରୋ: କଳାକାରଙ୍କ କଳିକୁ ନେଇ ପଶ୍ଚିମଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିବାଦର ଚିତ୍ର ସାମନାକୁ ଆସିବା ପରେ ସାରା ରାଜ୍ୟରେ ଏହା ପ୍ରମୁଖ ପ୍ରସଙ୍ଗ ପାଲଟିଛି । ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ସଂଘର୍ଷ କରୁଥିବା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ କଳି, ଏତେ ବଡ ରୂପ ନେଇପାରେ ତାହା ସମସ୍ତଙ୍କୁ ଚକିତ କରିଛି ।

Advertisment

କଳାକାର ଓ ପ୍ରଯୋଜକମାନେ ବିବାଦ ନକରି କେମିତି ଶିଳ୍ପ ଆଗକୁ ବଢ଼ିବ, ଭଲ ଫିଲ୍ମ ଆସିବ ସେ ବିଷୟରେ ଚିନ୍ତା କଲେ ଭଲ ହୁଅନ୍ତା ବୋଲି ଓଡିଆ ସିନେ ପ୍ରେମୀ କଥା ହେଉଛନ୍ତି । ଆଉ ବିବାଦ ବଢ଼ି ଚାଲିଥିବାବେଳେ ପୁଣି ଥରେ ସାମନାକୁ ଆସିଛନ୍ତିି ଅଭିନେତା ଅରିନ୍ଦମ ରାୟ । ସାମ୍ବାଦିକ ସମ୍ମିଳନୀ କରି, ମିିଳିମିଶି ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି ଅରିନ୍ଦମ ।

ବିବାଦ ଭିତରେ ବସିଛି ଉକ୍ରଳ ସିନେ ଚାମ୍ବର ଅଫ୍ କମର୍ସର ବୈଠକ । ସଂଘର ସଦସ୍ୟମାନେ ବୈଠକରେ ସାମିଲ ହୋଇ କଳାକାର ବିବାଦ ସମେତ ଆଉ କେତେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବୈଠକରେ ସଂଘର ସଭାପତି ତଥା ମନୋଜ ମିଶ୍ରଙ୍କୁ ବ୍ୟାନ କରିଥିବା ଟୁଟୁ ନାୟକ ମଧ୍ୟ ଉପସ୍ଥିତ ଥିଲେ । ହେଲେ, ସେ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି । ଅନ୍ୟପଟେ ସଂଘର ସମ୍ପାଦକ ରାଜନେତାଙ୍କ ଭଳି ମତ ରଖିଛନ୍ତି । କିନ୍ତୁ ସେହି ସଂଘର ଅନ୍ୟତମ କର୍ମକର୍ତା ଅଭିନେତା ଅଖିଳ ପଟ୍ଟନାୟକ ମନୋଜଙ୍କ ଉପରୁ ବାସନ୍ଦକୁ ଉଠାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେହିପରି ବରିଷ୍ଠ ବିଜେଡି ସାଂସଦ ତଥା ବରିଷ୍ଠ କଳାକାର ମୁନ୍ନା ଖାଁ ବିବାଦ ନବଢ଼ାଇ ପାଇଁ ପରାମର୍ଶ ଦେଇଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି, ଯେଉଁ ସଂଘ ମନୋଜଙ୍କୁ ବାସନ୍ଦ କରିଛି ବୋଲି ଘୋଷଣା କରିଛି, ସେହି ସଂଘ ବିବାଦରେ ରହିଛି । କିଛି ଦିନ ତଳେ ତାଙ୍କ ପ୍ରଯୋଜକ ସଂଘକୁ ଆଉ ଗୋଟିଏ ସଂଘ ବିରୋଧ କରିଥିଲା । ୟୁସିସିସିର ବୈଧତାକୁ ନେଇ ପ୍ରଶ୍ନ ଉଠାଇଥିଲା । ମାମଲା କୋର୍ଟକୁ ଯାଇଥିଲା । ଏପରିକି କିଛି ଦିନ ତଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତେବେ ପ୍ରଶ୍ନ ଉଠୁଛି ଯେଉଁ ପ୍ରଯୋଜକ ସଂଘ ବିବାଦରେ ଅଛି, ସେ କେମିତି ଜଣେ କଳାକାରଙ୍କୁ ବ୍ୟାନ କରିପାରିବ?