କନକ ବ୍ୟୁରୋ: ଆପଣଙ୍କର ମନେଥିବ କିଛି ଦିନ ତଳେ ସାରସ ଏବଂ ଆରିଫଙ୍କ ବନ୍ଧୁତାକୁ ନେଇ ବେସ ଚର୍ଚ୍ଚା ହୋଇଥିଲା । ସୋସିଆଲ ମିଡିଆରେ ଏହାର ଭିଡିଓ ଆସିବା ପରେ ଚାରିଆଡୁ ଏହି ବନ୍ଧୁତା ଦେଖିବାକୁ ଆମେଠୀରେ ଥିବା ଆରିଫଙ୍କ ଗାଁରେ ଲୋକଙ୍କ ଭିଡ ଜମିଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତା ଏତେ ଘନିଷ୍ଠ ଥିଲା ଯେ ଜଣେ ଆରଜଣଙ୍କୁ ଛାଡି ରହିପାରୁନଥିଲେ ।
ଭିଡିଓରେ ଆପଣ ଦେଖିଥିବେ କେତେବେଳେ ସାରସ ଆରିଫଙ୍କ ପଛରେ ଗୋଡାଇ ଗୋଡାଇ ଯାଉଛି, ତ ଆଉ କେତେ ବେଳେ ଆଗେ ଆଗେ ଆରିଫ ତ ତାଙ୍କ ପଛରେ ସାରସ । ଖାଲି ଏତିକି ନୁହେଁ ଗୋଟିଏ ଥାଳିରେ ଆରିଫ ଏବଂ ସାରସ ଏକାଠି ଖାଉଥିଲେ । ଆରିଫ ମଧ୍ୟ ଛୁଆକୁ ସ୍ନେହ ଯତ୍ନ କରିବା ଭଳି ତାକୁ ଗାଧୋଇ ଦେଉଥିଲେ ତ ଆଉ କେତେବେଳେ ତାଙ୍କୁ କୋଳାଇନେଉଥିଲେ ।
ତେବେ କିଛି ଦିନ ତଳେ ଏ ବନ୍ଧୁତା ଉପରେ ପ୍ରଶାସନର ଯେମିତି ନଜର ଲାଗିଯାଇଥିଲା । ଜୋର ଜବରଦସ୍ତି ବନ ବିଭାଗ ସାରସଟିକୁ ଆସି ଆରିଫଙ୍କ ଘରୁ ପକ୍ଷୀ ବିହାରକୁ ନେଇଯାଇଥିଲେ । ଗତ ୨୧ ତାରିଖରେ ବନ ବିଭାଗ ଆରିଫ ଏବଂ ସାରସର ସମ୍ପର୍କ ଛିନ୍ନ କରାଇ ତାକୁ ସମସପୁର ପକ୍ଷୀ ବିହାର ନେଇଯାଇଥିଲେ । ତେବେ ମାତ୍ର ୩ ଦିନ ଭିତରେ ସାରସ ପକ୍ଷୀ ବିହାରର ତାରଜାଲକୁ ଭେଦ କରି ସେଠାରୁ ଉଡିଆସିଛି ସାରସ ପକ୍ଷୀ ବିହାରରୁ ଉଡିଆସିବା ପରେ ଆଉ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି । ସାରସ ଆଉ ଏକ ଗାଁରେ ପହଞ୍ଚିଛି । ଯେଉଁଠି ସ୍ଥାନୀୟ ଲୋକେ ପକ୍ଷୀର ପୂରା ଯତ୍ନ ନେଉଛନ୍ତି ।
ଆରିଫ ଏବଂ ସାରସ ମଧ୍ୟରେ ଥିବା ବନ୍ଧୁତା ଉଭୟଙ୍କୁ ପରସ୍ପର ଠାରୁ ଅଲଗା କରିପାରିନଥିଲା । ପ୍ରଶାସନର ଅନେକ ଉଦ୍ୟମ ପରେ ମଧ୍ୟ ପକ୍ଷୀବିହାର ଛାଡି ସାରସ ଉଡିଆସିଛି । ଏ ଘଟଣା ପରେ ସାମାଜିକ ଗଣମାଧ୍ୟମରେ ବନ ବିଭାଗକୁ ଟାର୍ଗେଟ କରିଛନ୍ତି ଅନେକ । ସପା ନେତା ଅଖିଳେଶ ଯାଦବ ଟ୍ୱିଟ କରି ବନ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେହିଭଳି ଟ୍ୱିଟରରେ ମଧ୍ୟ ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/21-22.jpg)