ବଦଳିଲେ ୫ ରାଜ୍ୟପାଳ: ତିନ୍ ତଲାକର ସମର୍ଥକ ଆରିଫ ମହମ୍ମଦ ଖାନ କେରଳ ରାଜ୍ୟପାଳ ଭାବେ ନିଯୁକ୍ତ

କଲରାଜ ମିଶ୍ରଙ୍କୁ ରାଜସ୍ତାନ, ବନ୍ଦାରୁ ଦତାତ୍ରେୟଙ୍କୁ ହିମାଚଳ ବଦଳି; ପରିବର୍ତ୍ତନ ହେଲେ ମହାରାଷ୍ଟ୍ର, ତେଲେଙ୍ଗାନା ରାଜ୍ୟପାଳ

509

କନକ ବ୍ୟୁରୋ: ୮୦ ଦଶକରେ କଂଗ୍ରେସର ବଡ ଚେହେରା ଥିବା ଆରିଫ ଅହମ୍ମଦ ଖାନ ହେଲେ କେରଳର ରାଜ୍ୟପାଳ । ତିନ୍ ତଲାକ୍ ବିଲ୍ ଉପରେ ମୋଦି ସରକାରଙ୍କୁ ବଡ ସମର୍ଥନ ଦେଇଥିଲେ ଆରିଫ୍ ଅହମ୍ମଦ ଖାନ୍ । କେରଳ ରାଜ୍ୟପାଳ ପଦରେ ତାଙ୍କୁ ନିଯୁକ୍ତି ଦେଇ ବିଜେପି ତାଙ୍କୁ ପୁରସ୍କୃତ କରିଛି । ୧୯୮୪ରେ ଯେତେବେଳେ ରାଜୀବଗାନ୍ଧି ସରକାର ସଂସଦରେ ନୂଆ ଆଇନ ଆଣି ଶାହାବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ବଦଳାଇ ଦେଇଥିଲେ , ସେତେବେଳେ ରାଜୀବ ଗାନ୍ଧି ସରକାରରୁ ଇସ୍ତଫା ଦେଇ ସେ ଚର୍ଚାକୁ ଆସିଥିଲେ ।

ଆରିଫ୍ ଅହମ୍ମଦ ଖାନଙ୍କ ସମେତ ୫ ରାଜ୍ୟପାଳଙ୍କ ନିଯୁକ୍ତି ଓ ବଦଳି ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିବା ପରେ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ବର୍ତମାନ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିବା କଲରାଜ ମିଶ୍ରଙ୍କୁ ରାଜସ୍ଥାନକୁ ବଦଳି କରାଯାଇଛି । ଏବେ କଲରାଜ ମିଶ୍ର ରାଜସ୍ଥାନ ରାଜ୍ୟପାଳ ଦାୟିତ୍ୱ ସଂଭାଳିବେ । ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ବନ୍ଦାରୁ ଦତାତ୍ରେୟଙ୍କୁ ନିଯୁକ୍ତ କରାଯାଇଛି । ବରିଷ୍ଠ ବିଜେପି ନେତା ତଥା ଉତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂ କୋଶିୟାରୀଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଏବଂ ଡକ୍ଟର ତାମିଲସାଇ ସୁନ୍ଦରରାଜନଙ୍କୁ ତେଲେଙ୍ଗାନା ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।