ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକରେ ବାପ-ଝିଅ ମୁହାଁମୁହିଁ : ବିଧାୟକ ବାପାଙ୍କ ଉପରେ ବର୍ଷିଲେ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା

259

କନକ ବ୍ୟୁରୋ : ବାପା ବିଜେଡି ବିଧାୟକ, ଝିଅ ବିଜେପି ଜିଲ୍ଲା ପରିଷଦ ସଦସ୍ୟା । ଜିଲ୍ଲା ଯୋଜନା କମିଟି ବୈଠକରେ ବାପା-ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ । ଏପରି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ । ମନ୍ତ୍ରୀ ଓ ସାଂସଦଙ୍କ ଉପସ୍ଥିତିରେ ଏହି ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି । ଜିଲ୍ଲା ଯୋଜନା କମିଟି ବୈଠକରେ ବିଜେଡିର ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଉପରେ ବର୍ଷିଛନ୍ତି ତାଙ୍କ ଝିଅ ତଥା ବିଜେପିର ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ମାଝୀ । ସମସ୍ତ ଅଫିସର ଓ କଂଟ୍ରାକ୍ଟର ବିଜେଡିର କର୍ମୀ ସାଜିଥିବା ଅଭିଯୋଗ କରିଛନ୍ତି ଶାନ୍ତିଲତା ।

ଏହି ବୈଠକରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା, ସାଂସଦ ରମେଶ ମାଝୀ, ୨ ବିଧାୟକ, ଜିଲ୍ଲାପାଳ ଓ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ତେବେ ବୈଠକ ଆରମ୍ଭ ହେବା ପୂର୍ବରୁ କାହିଁକି ଖାତାରେ ଦସ୍ତଖତ ନିଆଗଲା ବୋଲି ପ୍ରଶ୍ନ କରିଥିଲେ ଜିଲ୍ଲା ପରିଷଦ ସଦସ୍ୟା । ବିଶେଷ କରି ବାପା ପୂର୍ଣ୍ଣଚନ୍ଦ୍ର ବାକାଙ୍କ ସହ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରିଥିଲେ ଝିଅ ଶାନ୍ତିଲତା ମାଝୀ । ମାଲକାନଗିରି ଏକ ପଛୁଆ ଜିଲ୍ଲା ହୋଇଥିବାରୁ ଏପରି କାର୍ଯ୍ୟ କରାଯାଉଛି କି ବୋଲି ସେ ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ମନ୍ତ୍ରୀ ଓ ଅନ୍ୟମାନଙ୍କ ଉପରେ ମଧ୍ୟ ଗର୍ଜିଥିଲେ ଶାନ୍ତିଲତା ।