ସାବଧାନ ! ବିଜେବି ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ବେଳେ ନକଲି ଠିକଣା ଦେଉଛନ୍ତି ଛାତ୍ରଛାତ୍ରୀ

Advertisment
ସାବଧାନ ! ବିଜେବି ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ବେଳେ ନକଲି ଠିକଣା ଦେଉଛନ୍ତି ଛାତ୍ରଛାତ୍ରୀ
କନକ ବ୍ୟୁରୋ : ଦଣ୍ଡରୁ ବଞ୍ଚିବା ପାଇଁ ଛାତ୍ରଛାତ୍ରୀ ନକଲି ବାପା, ମା’ଙ୍କୁ ଆଣି ଛିଡ଼ା କରୁଥିବା ଘଟଣା ଦୁଇ ମାସ ତଳେ ଜଣାପଡ଼ିଥିଲା। ଏବେ ଛାତ୍ରମାନଙ୍କର ଆଉ ଏକ ଅଭିନବ ଉଦ୍ୟମ ପଦାକୁ ଆସିଛି। କ୍ୟାମ୍ପସ ରାଜନୀତି ହେଉ କିମ୍ବା କୌଣସି ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ଛାତ୍ରଛାତ୍ରୀ ନୂଆ ତରିକା ଆପଣାଉଛନ୍ତି। ନାମଲେଖା ସମୟରେ ଛାତ୍ରଛାତ୍ରୀ ନକଲି ଠିକଣା କଲେଜକୁ ଦେଉଛନ୍ତି। ଯଦି ସେମାନେ କୌଣସି ଆପରାଧିକ ଘଟଣାରେ ସାମିଲ ହେଉଛନ୍ତି, ତେବେ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁ ନାହିଁ। ଆରାମରେ ଖସି ପଳାଉଛନ୍ତି। ରାଜଧାନୀରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏଭଳି ପନ୍ଥା ଆପଣାଇବାରେ ଏବେ ସିଦ୍ଧହସ୍ତ ହୋଇଛନ୍ତି। ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଏଭଳି ଘଟଣା ପଦାକୁ ଆସିଛି।
publive-imageଗତ ଅଗଷ୍ଟ ମାସରେ ଏଠାରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରସ୍ପରକୁ ଆକ୍ରମଣ କରି ୧୫ରୁ ଅଧିକ ଛାତ୍ର ଆହତ ହୋଇଥିଲେ। ଯେଉଁମାନେ ଗଣ୍ଡଗୋଳରେ ସାମିଲ ଥିଲେ, ସେମାନଙ୍କୁ ଧରିବାକୁ ଯିବା ସମୟରେ ପୁଲିସ ଓ କଲେଜ କର୍ତୃପକ୍ଷଙ୍କୁ ହଟହଟା ହେବାକୁ ପଡ଼ିଥିଲା। ନାମଲେଖା ସମୟରେ ସେମାନେ ଯେଉଁ ସ୍ଥାୟୀ ଠିକଣା ଦେଇଥିଲେ, ସେଠାରେ ସେମାନେ ମିଳି ନଥିଲେ। ଏପରିକି ୪ରୁ ୫ବର୍ଷ ମଧ୍ୟରେ ସେଭଳି ନାଁରେ କୌଣସି ଛାତ୍ର ରହୁନଥିବା ଘର ମାଲିକ କହିଥିଲେ। ଏହାପରେ କ୍ୟାମ୍ପସରେ ପୁଲିସ ଖୋଜିଥିଲେ ହେଁ ଗଣ୍ଡଗୋଳକାରୀ କିଛି ଦିନ ପାଇଁ କ୍ୟାମ୍ପସରୁ ଉଭାନ୍ ହୋଇଯାଇଥିଲେ।
publive-imageବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି କହିଛନ୍ତି, କେତେଜଣ ଛାତ୍ର ନାମଲେଖା ସମୟରେ ଠିକଣା ଓ ଫୋନ୍ ନମ୍ବର ଭୁଲ୍ ଦେଇଥିବା ଜଣାପଡ଼ିବା ପରେ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ହୋଇଛି। ଗତ ଷ୍ଟାଫ୍ କାଉନସିଲ୍ ବୈଠକରେ ଏନେଇ ଆଲୋଚନା ବି କରାଯାଇଛି। ଏହାସହ ଉତ୍କଳ ବିଶ୍ୱବିିଦ୍ୟାଳୟ ଛାତ୍ରଛାତ୍ରୀ ଏଭଳି କରୁଥିବା ଗତବର୍ଷ ନଜରକୁ ଆସିଥିଲା। ଯେଉଁମାନେ କ୍ୟାମ୍ପସରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଥିଲା, ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ କରିବା ସମୟରେ ପାଇ ନଥିଲା। ଏପରିକି ସେଭଳି କୌଣସି ଛାତ୍ରଛାତ୍ରୀ ସମ୍ପୃକ୍ତ ଘରେ ରହୁ ନ ଥିବା ଘର ମାଲିକ କହିଥିଲେ। ପିଲା ଘରେ ନଥିଲେ ନା ଘର ମାଲିକମାନେ ମିଛରେ କହିଲେ ତାହା ବି ପୁଲିସ୍ ଯାଞ୍ଚ ନକରି ଫେରି ଆସିଲା।
କେମିତି ହେଉଛି ଜାଲିଆତି?
publive-imageଏବେ ମୁଖ୍ୟତଃ ଅନଲାଇନରେ ନାମଲେଖା ହେଉଛି। ଯୁକ୍ତ୨ ଓ ଯୁକ୍ତ୩ ଛାତ୍ରଛାତ୍ରୀ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ପୂରଣ କରୁଛନ୍ତି। ସେଥିରେ ଛାତ୍ରଛାତ୍ରୀ ନିଜର ଏକାଡେମିକ୍ ତଥ୍ୟ ଦେଉଛନ୍ତି। ବାପା, ମା’ଙ୍କ ନାମ, କେଉଁ ସ୍କୁଲରେ ପଢ଼ୁଥିଲେ, ଜନ୍ମ ତାରିଖ ଆଦି ପୂରଣ କରୁଛନ୍ତି। ପରବର୍ତୀ ସମୟରେ ଛାତ୍ରଛାତ୍ରୀ ମାଟ୍ରିକ୍ ଓ ଯୁକ୍ତ୨ସାର୍ଟିଫିକେଟରେ ଜେରକ୍ସ କପି ଦେଇଥାନ୍ତି। ସେଥିରୁ କେବଳ ପିଲାର ଜନ୍ମ ତାରିଖ ଓ ବାପା, ମା’ଙ୍କ ନାମ ମିଳେ। ପିଲାଙ୍କ ଅନ୍ୟ କୌଣସି ତଥ୍ୟ କଲେଜରେ ରହୁନି। କଲେଜରେ ସାର୍ଟିଫିକେଟ୍ ସହ କମନ୍ ଆପ୍ଲିକେସନ ଫର୍ମର ପ୍ରିଣ୍ଟ କପି ଦାଖଲ କରିବାକୁ କୁହାଯାଉଛି। ହେଲେ ପିଲାମାନେ ସେଥିରେ ଜାଲିଆତି କରି ନକଲି ଠିକଣା ଦେଉଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe