କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ସ୍ଥାନାନ୍ତରକୁ ୨ ସପ୍ତାହ ବିତିଥିବା ବେଳେ ଏଯାଏଁ ରତ୍ନ ଗଣତି ମଣତି ହୋଇନାହିଁ। ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କେତେ ସମ୍ପତ୍ତି ଅଛି ତାହା ଜାଣିବାକୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଏସବୁ ଭିତରେ ଆଜି ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Advertisment

ଭିତର ରତ୍ନଭଣ୍ଡାର ଭିତରେ ଆହୁରି ରତ୍ନଭଣ୍ଡାର ରହିଛି। ତା ଭିତରେ ମହାପ୍ରଭୁଙ୍କର ବହୁ ମୂଲ୍ୟବାନ ରତ୍ନ ଅଳଙ୍କାର ରହିଛି। ରତ୍ନଭଣ୍ଡାର ଖୋଲିବା ପରେ ଏହି ଚର୍ଚ୍ଚା ଜୋରସୋରରେ ଚାଲିଛି। ଏହି ଚର୍ଚ୍ଚା ଭିତରେ, ରହସ୍ୟ ବଢ଼ାଇଛି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ବିଶ୍ବନାଥ ରଥଙ୍କ ପ୍ରତିକ୍ରିୟା। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଜଷ୍ଟିସ୍ ରଥ କହିଛନ୍ତି, ରତ୍ନଭଣ୍ଡାର ଭିତରେ ଗୁପ୍ତଧନ ଅଛି କି ନାହିଁ ତାହାର ଯାଞ୍ଚ କରାଯିବ।

ରତ୍ନଭଣ୍ଡାରରେ ଗୁପ୍ତଧନ ରହିଥିବା ନେଇ ଅନେକ ସେବାୟତ ପୂର୍ବରୁ କହି ଆସିଛନ୍ତି। ଏପରିକି ଏକ ଗୁପ୍ତ ସୁଡଙ୍ଗ ରତ୍ନଭଣ୍ଡାରକୁ ଲାଗି ରହିଥିବା ବେଳେ ଏଥିରେ ଅମୂଲ୍ୟ ରତ୍ନ ରହିଥିବା ଚର୍ଚ୍ଚା ହୁଏ। ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାର ଅନୁସନ୍ଧାନ କରାଯିବ।

- ଖାଲିଥିବା ସିନ୍ଦୁକ ଓ ଆଲମାରିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ
- ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଖୋଜାଯିବ ଗୁପ୍ତ ସୁଡଙ୍ଗ!
- ଗୁପ୍ତଧନ ଓ ଗୁପ୍ତସୁଡଙ୍ଗର ସନ୍ଧାନ ନ ମିଳିଲେ ମରାମତି କାର୍ଯ୍ୟ ଆରମ୍ଭ
- ରତ୍ନଭଣ୍ଡାରର ମରାମତି ପରେ ହେବ ରତ୍ନର ଗଣତି ମଣତି
- ପୂର୍ବ ଏସଓପିରେ ଏହା ଉଲ୍ଲେଖ ନଥିବାରୁ ଆସିବ ନୂଆ ଏସଓପି

ରତ୍ନଭଣ୍ଡାରର ମରାମତି ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ବେଳେ ଯେପରି ମନ୍ଦିରର ମୂଳ ଢାଞ୍ଚାକୁ କୌଣସି କ୍ଷତି ନପହଁଚିବ ଓ ନୀତିକାନ୍ତିରେ ବାଧା ସୃଷ୍ଟି ନହେବ ତାହା ଉପରେ ଦୃଷ୍ଟି ଦିଆଯିବ ।

ରତ୍ନଭଣ୍ଡାରର ରତ୍ନର ଗଣତି ଓ ମଣତି ପରେ ୧୯୭୮ ମସିହାର ରିପୋର୍ଟ ସହ ମେଳ କରି ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବ। ଯେଉଁଥିରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ବାବଦରେ ସବିଶେଷ ତଥ୍ୟ ରହିବ। ଏଥିସହ ଗୁପ୍ତ ଧନ ରହିଛି କି ନାହିଁ ସେ ନେଇ ସ୍ପଷ୍ଟ ଚିତ୍ର ଆସିବ ।