କନକ ବ୍ୟୁରୋ: ରତ୍ନଭଣ୍ଡାରରେ କେତେ ସୁନା ଓ ରୂପା ଅଳଙ୍କାର ଅଛି । ୨୦୧୮ ମସିହାରେ ବିଧାନସଭାରେ ଏ ନେଇ ତଥ୍ୟ ରଖିଥିଲେ ତତକାଳୀନ ଆଇନମନ୍ତ୍ରୀ ପ୍ରତାପ ଜେନା । ସରକାରଙ୍କ ସୂଚନା ଅନୁସାରେ -

Advertisment

ଦ୍ରବ୍ୟ                                                   ପରିମାଣ
ସୁନା ଅଳଙ୍କାର                                     ୧୨୮୩୧ ଭରି ଅର୍ଥାତ୍ ୧୪୯ କେଜି ୬୦୯ ଗ୍ରାମ
ରୁପା ବାସନ ଓ ପୂଜାସାମଗ୍ରୀ                   ୨୨୧୫୩ ଭରି ଅର୍ଥାତ ୨୫୮ କେଜି ୩୦୦ ଗ୍ରାମ

ଏହାଛଡ଼ା ୧୪ଟି ସୁନା ଓ ରୁପା ସାମଗ୍ରୀ ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବା ଉଲ୍ଲେଖ କରିଥିଲେ ତତକାଳୀନ ଆଇନମନ୍ତ୍ରୀ । ୧୯୭୮ ମସିହାରେ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ସମାଗ୍ରୀର ତାଲିକା ଅନୁଯାୟୀ ଏହି ତଥ୍ୟ ବିଧାନସଭାକୁ ଦିଆଯାଇଥିଲା ।

ହାଇକୋର୍ଟରେ ସରକାର ଦେଇଥିବା ସତ୍ୟପାଠ ଅନୁଯାୟୀ ଶ୍ରୀମନ୍ଦିର ଭିତର, ବାହାର ଓ ଚଳନ୍ତି ରତ୍ନଭଣ୍ଡାରରେ ୧୪୯ କେଜି ୪୫୭ ଗ୍ରାମ ସୁନା ଅଳଙ୍କାର ଓ ୨୧୮ କେଜି ରୁପା ସାମଗ୍ରୀ ରହିଛି । ଉଭୟ ହିସାବକୁ ତୁଳନା କଲେ ଜଣାପଡ଼ୁଛି ପ୍ରାୟ ୪୦ କେଜି ରୁପା ଓ ୧୫୨ ଗ୍ରାମ ସୁନା କମିଯାଇଛି ।

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠ ଓ ବିଧାନସଭାରେ ସରକାର ରଖିଥିବା ତଥ୍ୟ ମଧ୍ୟରେ ତାଳମେଳ ରହୁନାହିଁ । ଏହାକୁ ନେଇ ଘେରିଛନ୍ତି ବିରୋଧୀ । ବରିଷ୍ଠ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, ଦୁଇଟି ତଥ୍ୟରେ ତାଳମେଳ ନରହିବା ଯୋଗୁଁ ସହ ସୃଷ୍ଟି ହୋଇଛି ଏବଂ ଲୋକଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ବଢ଼ିବାରେ ଲାଗିଛି । ରତ୍ନଭଣ୍ଡାରକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଥିବାରୁ ତୁରନ୍ତ ରତ୍ନଭଣ୍ଡାର ଖୋଲିବାକୁ ଦାବି ଜୋରଧରିଛି ।

୧୯୮୩-୮୪ ମସିହାରୁ ଶ୍ରରମନ୍ଦିର ପରିସରରେ ହୁଣ୍ଡି ପ୍ରତିଷ୍ଠା ଦିନରୁ ୨୦୧୮ ଯାଏଁ ବିଭିନ୍ନ ଉତ୍ସରୁ ୭୦ କୋଟିରୁ ଅଧିକ ଟଙ୍କା ଆସିଥିବା ସରକାର ବିଧାନସଭାରେ କହିଥିଲେ । ଏହି ସମୟରେ ୧୬ କେଜି ୧୫ ଗ୍ରାମ ସୁନା ହୁଣ୍ଡିକୁ ଆସିଛି । ଏଥିରୁ ୧୪ କେଜି ୫୬୦ ଗ୍ରାମ ସୁନା ଏସବିଆଇ ଲକରରେ ରଖାଯାଇଥିବା ଜଣାପଡିଛି ।