ଜାନୁୟାରୀରୁ କଡ଼ାକଡି ହେବ ଟ୍ରାଫିକ୍ ଚେକିଂ । ସେପଟେ ଗାଡ଼ି ଚାଳକ ଆଣିଲେ ସାଂଘାତିକ୍ ଅଭିଯୋଗ, କହିଲେ ଅଳ୍ପ ସମୟରେ ସରି ଯାଉଛି ବୁକିଂ ସ୍ଲଟ୍, କେମିତି ମିଳିବ ଲାଇସେନ୍ସ ?

959

କନକ ବ୍ୟୁରୋ : ଟ୍ରାଫିକ୍ ଫାଇନ୍ ଆଦାୟ ପାଇଁ ଏବେ ପୁଲିସ ଛକ ଛକରେ ଜଗିବା ଆରମ୍ଭ କଲେଣି । କିନ୍ତୁ ଏସବୁ ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି, ଡ୍ରାଇଭିଂ ଲାଇସେନ୍ସ ଯାଂଚ କରି ପୁଲିସ ଫାଇନ୍ ନେବାକୁ ତ ପ୍ରସ୍ତୁତ ହେଉଛି, ହେଲେ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଯାଇ ପାରୁଛି ତ । କାରଣ କରୋନା ପାଇଁ ସ୍ଲଟ୍ ବୁକିଂ ବନ୍ଦ ରହିଥିଲା । ଏବେ ଖୋଲିଛି, କିନ୍ତୁ ଭିଡ ଅନେକ ରହୁଥିବାରୁ ଅନେକ ଆବେଦନକାରୀ ସ୍ଲଟ୍ ବୁକ୍ କରି ପାରୁନାହାନ୍ତି ।

ପ୍ରଶ୍ନ ଉଠୁଛି, ସ୍ୱାଭାବିକ ଚାଲିଛି କି ଡିଏଲ୍ ଆବେଦନ ପ୍ରକ୍ରିୟା ? ନୂଆ ଆବେଦନକାରୀ ପାଉଛନ୍ତି କି ବୁକିଂ ସ୍ଲଟ୍ ? ଡ୍ରାଇଭିଂ ଲାଇସେନ୍ସ ଚାହୁଁଥିବା ଗାଡ଼ି ଚାଳକଙ୍କ ଭିତରେ ଏବେ ଏମିତି କିଛି ପ୍ରଶ୍ନ ଉଠୁଛି । କାରଣ, ଜାନୁୟାରୀ ମାସରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାକୁ ଯାଉଥିବା ବେଳେ ଡିଏଲ୍ ଯାଞ୍ଚକୁ ତ୍ୱରାନ୍ୱିତ କରାଯିବ । ଠିକ୍ ଏମିତି ବେଳେ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ଆବେଦନ ସମ୍ପର୍କରେ ଉଠିଛି ଏକାଧିକ ପ୍ରଶ୍ନ । ଆବେଦନକାରୀଙ୍କ ଅଭିଯୋଗ ହେଉଛି,

– ଅତି ଅଳ୍ପ ସମୟ ଭିତରେ ସରିଯାଉଛି ଡିଏଲ୍ ବୁକିଂ ସ୍ଲଟ୍

– ସ୍ଲଟ୍ ମିଳିବା ପରେ ବି ହୋଇପାରୁନି ଲାଇସେନ୍ସ

– ଚିହ୍ନା ପରିଚୟଙ୍କୁ ସହଜରେ ମିଳିଯାଉଛି ଲାଇସେନ୍ସ

– ଏଲଏଲ୍ ପାଇଥିବା ଚାଳକଙ୍କୁ ଡିଏଲ୍ ପାଇଁ ମିଳୁଛି କମ ସମୟ

-୭ ଦିନ ଭିତରେ ନହେଲେ ଡିଏଲ୍ ପାଇଁ ଫାଇନ୍ ଦେବାକୁ ପଡ଼ିପାରେ

ବଡ଼ କଥା ହେଉଛି ଭୁବନେଶ୍ୱର ଆରଟିଓ ୨ରେ ନୂଆ ଡିଏଲ୍ ପାଇଁ ଦୈନିକ ମାତ୍ର ୮୦ଟି ସ୍ଲଟ୍ ଦିଆଯାଉଛି । ହେଲେ ଆବେଦନକାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଫଳରେ ଲାଇସେନ୍ସ ଚାହୁଁଥିବା ଚାଳକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଏପଟେ ପରିବହନ ମନ୍ତ୍ରୀ ପୁଣି ଥରେ ଚେତାଇ ଦେଇଛନ୍ତି । ଗାଡ଼ି କାଗଜପତ୍ର ସମେତ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଯାଂଚ୍ କରାଯିବ । ଆଗକୁ ନିୟମ କଡ଼ାକଡ଼ି ଭାବେ ପାଳନ ହେବାକୁ ଯାଉଛି । ନିୟମ ପାଳନ କଡ଼ାକଡ଼ି ହେବାରେ ବି କୌଣସି ଅସୁବିଧା ନାହିଁ । ତେବେ ଆବଶ୍ୟକ ଭିତ୍ତିଭୂମି ବଢ଼ାଇବାରେ ପ୍ରଶାସନ କ’ଣ ପଦକ୍ଷେପ ନେଇଛି ? ଚାଳକଙ୍କୁ ସୁବିଧାରେ ଆବଶ୍ୟକ କାଗଜପତ୍ର ଯୋଗାଇ ଦେବା ପାଇଁ କେଉଁ କେଉଁ ସବୁ ବ୍ୟବସ୍ଥା ହୋଇଛି ? ତାହା ନିଶ୍ଚିତ ଭାବରେ ସ୍ପଷ୍ଟ ହେବା ଜରୁରୀ ।