କନକ ବ୍ୟୁରୋ: ଏଣିକି ଆଉ ନିୟମ ଉଲ୍ଲଙ୍ଘନକାରୀଙ୍କୁ ନିସ୍ତାର ନାହିଁ। ଦୀର୍ଘ ୬ ମାସର ବିରତି ପରେ ଆଜିଠାରୁ ରାଜ୍ୟରେ ପୁଣି ଥରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହୋଇଛି। ଏଥର ଜୋରଦାର ଧରପଗଡ଼ ହେବ। ଯିଏ ନିୟମ ଭାଙ୍ଗିବ, ତା’ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ଓ ବିନା କାଗଜପତ୍ରରେ ଗାଡ଼ି ଚଲାଉଥିବା ଚାଳକଙ୍କୁ ଧରିବା ପାଇଁ ପାଗ ଭିଡ଼ିଛନ୍ତି କମିସନରେଟ୍ ପୁଲିସ ଓ ପରିବହନ ବିଭାଗ । ଉଭୟ ବିଭାଗର ସ୍ବତନ୍ତ୍ର ଟିମ୍ ଅତର୍କିତ ଚଢ଼ଉ କରିବେ। ତେବେ ଆରଟିଓ-୧ ଓ ଆର୍ଟିଓ-୨ ପକ୍ଷରୁ ୪ଟି ଟିମ୍ ଗଠନ ହୋଇଥିବା ବେଳେ ପୁଲିସ୍ ବିଭିନ୍ନ ଛକରେ ଚଢ଼ଉ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଏହାଛଡା ଟ୍ରାଫିକ୍ ପୋଲିସଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ସେମାନେ ଏକାଥରକେ କେବଳ ୪ଟି ଗାଡି ଅଟକାଇ ଯାଂଚ କରିପାରିବେ । ନଚେତ୍ ରାସ୍ତା ଜାମ୍ ହେବାର ଆଶଙ୍କା ରହିଛି । ମଦୁଆ ଚାଳକ ଯେଭଳି ଗୋଟିଏ ହେଲେ ଖସି ନ ଯାଉ, ତାହା ନିଶ୍ଚିତ କର। ତା’ ସହିତ ନାବାଳକ ଗାଡ଼ି ଚାଳକ, ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିକୁ କୌଣସି ପରିସ୍ଥିତିରେ ଛାଡ଼ ନାହିଁ। ପୁଲିସ ଓ ଆରଟିଓଙ୍କୁ ଏଭଳି ଚିଠି ଲେଖିଛନ୍ତି ପରିବହନ କମିସନର୍।

ଏକୁଟିଆ ଗାଡ଼ି ଚଳାଇ ପାରିବେ ନାହିଁ ଲର୍ଣ୍ଣର୍ସ ଲାଇସେନ୍ସଧାରୀ

୬ମାସର ମହଲତ ମିଳିଥିଲେ ହେଁ ଏପର୍ଯ୍ୟନ୍ତ ଅନେକ ନିଜର ଡ୍ରାଇଭିଂ ଲାଇସେନ୍ସ କରିପାରିନାହାନ୍ତି। ସେମାନେ ଲର୍ଣ୍ଣସ୍ ଲାଇସେନ୍ସ(ଏଲଏଲ୍)ରେ ଗାଡ଼ି ଚଳାଉଛନ୍ତି।  ତେବେ ଏହି ଲାଇସେନ୍ସଧାରୀ ଚାଳକମାନେ ରାସ୍ତାରେ ଏକୁଟିଆ ଗାଡ଼ି ଚଳାଇ ପାରିବେ ନାହିଁ। ବାଇକରେ ଏମାନଙ୍କ ପଛରେ ଜଣେ ବୈଧ ଡ୍ରାଇଭିଂ ଲାଇସେନ୍ସଧାରୀ ବସିବେ। ଏମାନେ ଏକୁଟିଆ ଗାଡ଼ି ଚଳାଇବା ବେଳେ ଧରାପଡ଼ିଲେ, ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ।

ନିୟମ ଅନୁଯାୟୀ, ଗାଡ଼ିଗୁଡ଼ିକର ଆନୁଷଙ୍ଗିକ ପ୍ରମାଣପତ୍ର ସହ ବ୍ରେକ୍, କ୍ଲଚ୍, ଏକ୍ସିଲିଟର୍, ‌ଷ୍ଟିଅରିଂ, ପତି, ଇଂଜିନ୍‌ ଠିକ୍‌ ଥିବା ଆବଶ୍ୟକ। ଏହାବ୍ୟତୀତ ହେଡ଼୍ ଓ ଡିପର୍‌ ଲାଇଟ୍ ସହ ଇଣ୍ଡିକେଟର୍ ଓ ବ୍ୟାକ୍ ବଜର୍‌ ଲାଇଟ୍ ମଧ୍ୟ ସଠିକ୍ ରହିବା ଦରକାର। ଗାଡ଼ିରେ ଉଭୟ ପାଖରୁ ନମ୍ବର ପ୍ଲେଟ୍ ସଠିକ୍ ଭାଗରେ ଦେଖାଯାଉଥିବା ଦରକାର। ବ୍ୟାବସାୟିକ କାମରେ ଲାଗୁଥିବା ଗାଡ଼ି ହୋଇଥିଲେ, ହଳହିଆ ନମ୍ବର ପ୍ଲେଟ୍‌ରେ ବଡ଼ ଓ ସ୍ପଷ୍ଟ ଅକ୍ଷରରେ ନମ୍ବର ଲେଖା ଯାଇଥିବାର ଆବଶ୍ୟକତା ରହିଛି। ଏସବୁ ନିୟମ ନ ମାନିଲେ କୌଣସି ଟ୍ୟାକ୍ସି ଗାଡ଼ି କିମ୍ବା ଭାରୀଯାନ ରାସ୍ତା ଉପରେ ଗଡ଼ି ପାରିବ ନାହିଁ ବୋଲି ପରିବହନ ବିଭାଗ ତରଫରୁ କୁହାଯାଇଛି।

କେବଳ ପୁଲିସ ଧରିଲେ ଯେ ଜରିମାନା ହେବ, ତାହା ନୁହେଁ, ବରଂ ଗାଡ଼ି ନମ୍ବରରୁ ଗାଡ଼ିର ବିବରଣୀ ପୁଲିସ ‌ଯାଞ୍ଚ କରିବ। ଅର୍ଥାତ୍‌ ଗାଡ଼ି ନମ୍ବରରୁ ଗାଡ଼ିର ବିବରଣୀ ଜଣା ପଡ଼ିଯିବ। ଗାଡ଼ିକୁ ନ ଅଟକାଇ ତା’ର କ’ଣ କ’ଣ କାଗଜପତ୍ର ନାହିଁ, ତାହା ରାସ୍ତା କଡ଼ରେ ବସି ପୁଲିସ ଜାଣିପାରିବ। ପରେ ମୋବାଇଲ ଟିମ୍‌ ତାକୁ ଅନ୍ୟ ଛକ‌ରେ ଧରି ଜରିମାନା ଆଦାୟ କରିବ। ଗୋଟିଏ ପଟେ ଏକାଠି ଗାଡ଼ି ଗଦା ହୋଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ ନାହିଁ, ଅନ୍ୟପଟେ କେହି ଜଣେ ହେଲେ ମଧ୍ୟ ଖସିପାରିବେ ନାହିଁ।