କନକ ବ୍ୟୁରୋ: ଗତକାଲି ଦିନ ପ୍ରାୟ ସାଢେ ୧୦ଟା ବେଳେ ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନାଙ୍କ ସେକ୍ସଟର୍ସନ ମାମଲାରେ ଶ୍ରଦ୍ଧାଞ୍ଜଳି ଅନ୍ୟତମ କାର୍ପଟଦାର । ପ୍ରାୟ ୩ଥର ନୋଟିସକୁ ଏଡାଇବା ପରେ ଶେଷରେ ଇଡି କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟ ହୋଇଥିଲେ ଶ୍ରଦ୍ଧାଞ୍ଜଳି ବେହେରା । କୁହାଯାଉଛି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ପାଇଥିବା ତଥ୍ୟ ଆଧାରରେ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରଶ୍ନ କରିଥିଲେ ଇଡିର ଅଧିକାରୀ । ହେଲେ ସେ ତଦନ୍ତରେ ସହ ଯୋଗ କରିନଥିଲେ । କିନ୍ତୁ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ବସାଇ ଜେରା କରିବା ପରେ ଖୋଲିଥିଲେ ସବୁ ଗୁମର । ଅର୍ଚ୍ଚନା ଯେବେଠାରୁ ବ୍ଲାକମେଲିଂ ଖେଳ ଆରମ୍ଭ କରିଛନ୍ତି ସେବେଠାରୁ ତାଙ୍କ ସହ ଥିଲେ ଶ୍ରଦ୍ଧାଞ୍ଜଳି । ଶେଷଥର ପାଇଁ ଏମାନେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରିଥିଲେ । ଯାହାପରେ ଗିରଫ ହେଲା ଅର୍ଚ୍ଚନା । ଏପରିକି ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ମଧ୍ୟ ଅର୍ଚ୍ଚନାଙ୍କ ବିରୋଧରେ ଏତଲା ଦେଇଥିଲେ । ତେଣୁ ଦୁହିଁଙ୍କୁ ଏକାଠି ବସାଇ ଜେରା କରିଛନ୍ତି ଇଡି ଅଧିକାରୀ ।

Advertisment

ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା
- ଉଭୟ ପରସ୍ପରକୁ କେମିତି ଓ କେବେଠାରୁ ଜାଣିଲେ?
- ଦୁହେଁ ମିଶି ବଡବଡିଆଙ୍କୁ ଫସାଇବା ପରେ ବ୍ଲାକମେଲ କରୁଥିଲେ କି?
- ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଫସାଇବାକୁ ଷଡଯନ୍ତ୍ର କରିଥିଲେ?
- ଅକ୍ଷୟ ପରିଜାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉଠାଇଥିଲେ କି?
- ଭିଡିଓ ଆଧାରରେ ତାଙ୍କୁ ବ୍ଲାକମେଲ କରି କେତେଟଙ୍କା ମାଗିଥିଲେ?
- ଅକ୍ଷୟ ପରିଜାଙ୍କ ପୂର୍ବରୁ ଆଉ କେଉଁମାନଙ୍କୁ ଫସାଇ ବ୍ଲାକମେଲ କରିଛନ୍ତି?
- ବ୍ଲାକମେଲ କରିବାକୁ ଯେଉଁ ଭିଡିଓ ସବୁ କରିଛନ୍ତି ତାହା ଏବେ କେଉଁଠି?

ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଏତଲା ଦେଇ ନିଜକୁ ପୀଡିତା ବୋଲି ଦର୍ଶାଇଥିଲେ ଶ୍ରଦ୍ଧାଞ୍ଜଳି । ହେଲେ ଇଡି ତାଲିକାରେ ସେ ଅନ୍ୟତମ ଅଭିଯୁକ୍ତ । ବାରମ୍ବାର ଇଡି ସମନକୁ ଏଡାଇବା ପରେ ଶେଷରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଆଉ ତାଙ୍କୁ ଖୁବଶୀଘ୍ର ଗିରଫ କରାଯାଇପାରେ ବୋଲି ସୂଚନା ମିଳିଛି । ସେପଟେ ଖଣ୍ଡଗିରି ଥାନାରୁ ଏକ ବନ୍ଦ ଲଫାପାରେ ଅର୍ଚ୍ଚନାଙ୍କ ଡାଏରୀ ଇଡି ଆଣିଥିବା ଜଣାପଡିଛି । ଅନ୍ୟପକ୍ଷରେ ଇଡିର ବରିଷ୍ଠ ଅଧିକାରୀମାନେ ମଧ୍ୟ ରାଜ୍ୟ ଫୋରେନସିକ ଲାବୋରେଟୋରୀରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଲାପଟପ, ପେନଡ୍ରାଇଭ, ହାର୍ଡଡିକ୍ସ ଓ ମୋବାଇଲ ଫୋନର ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଯାହାକୁ ଧରି ତଦନ୍ତ ଆଗକୁ ବଢୁଛି । ତେଣୁ କେଉଁ ଇଙ୍ଗ ଚେହେରା ଆଗକୁ ସାମ୍ନାକୁ ଆସିବ ତାକୁ ନେଇ ଉକ୍ରଣ୍ଠା ବଢୁଛି ।