ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ। କହିଲେ, ମୁହଁ ଖୋଲିଲେ ରାଜ୍ୟ ପରିବର୍ତ୍ତନ ହୋଇଯିବ।

ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ। କହିଲେ, ମୁହଁ ଖୋଲିଲେ ରାଜ୍ୟ ପରିବର୍ତ୍ତନ ହୋଇଯିବ।

କନକ ବ୍ୟୁରୋ: ଅର୍ଚ୍ଚନା ନାଗଙ୍କ ଆଜିର ବୟାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ହନିଟ୍ରାପ୍ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନାଙ୍କୁ ଇଡି ପଚରାଉଚୁରା କରିବା ପୂର୍ବରୁ ବୟାନ ଦେଇଛନ୍ତି । କହିଛନ୍ତି, ତାଙ୍କୁ ଫସାଇ ଦିଆଯାଇଛି । ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ସମସ୍ତ କଥା କହିବା ପାଇଁ ୩୦ ମିନିଟ୍ ସମୟ ଦରକାର । ସମୟ ଆସିଲେ ଗଣମାଧ୍ୟମକୁ ଏକ୍ସକ୍ଲୁସିଭ୍ ପ୍ରମାଣ ଦେବି ।

ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିବାବେଳେ, ସେ କମିଶନରେଟ୍ ପୋଲିସର ତଦନ୍ତ ଶୈଳୀକୁ ନେଇ ପ୍ରଶ୍ନ ଉଠାଇବା ସହ ଇଡି ତଦନ୍ତକୁ ସ୍ୱାଗତ କରିଛନ୍ତି । କହିଛନ୍ତି, ଇଡି ଉପରେ ବିଶ୍ୱାସ ଅଛି । ଇଡିକୁ ଅପେକ୍ଷା କରିଥିଲି । ଯାହା ବି ହୋଇଛି ତାହାର ତଦନ୍ତ ହେଉ । ତଦନ୍ତରେ ସହଯୋଗ କରିବେ । କିଏ ଫସାଇଛନ୍ତି ଜାଣି ପାରୁନାହାଁନ୍ତି । ତାଙ୍କ ପାଟି ବନ୍ଦ କରି ଗିରଫ କଲା କମିସନରେଟ୍ ପୁଲିସ୍ । ସେ କଣ ଆତଙ୍କବାଦୀ ଭଳି ଦେଖାଯାଉଛନ୍ତି କି ? ବୋଲି ପାଲଟା ପ୍ରଶ୍ନ କରିଛନ୍ତି ।

ଅର୍ଚ୍ଚନା ନାଗଙ୍କ ନାଗଫାଶରେ ବହୁ ବଡ ବଡିଆ ପଡିଥିବା କୁହାଯାଉଥିବାବେଳେ, ଅର୍ଚ୍ଚନା କହିଛନ୍ତି, କିଏ କିଏ ସବୁ ସମ୍ପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବେ । ନେତା, ମନ୍ତ୍ରୀ କି ଆଉ କିଏ ଅଛନ୍ତି ସବୁ ପ୍ରମାଣ କରିଦେବେ । ସେ ନିର୍ଦ୍ଦୋଷ । ପଣସ ଖାଇ ତାଙ୍କ ମୁଣ୍ଡରେ ୨ଜଣ ଅଠା ବୋଳିଛନ୍ତି । ତାଙ୍କ ୫ବର୍ଷର ଛୁଆର ଲୁହ ପଡିବ । ତେବେ ସେ କାହାକୁ ଛାଡିବେନି ବୋଲି ଚେତାବନୀ ଦେଇଛନ୍ତି ।

ଅର୍ଚ୍ଚନାଙ୍କୁ କମିଶନରେଟ୍ ପୁଲିସ ଗିରଫ କରିବା ଦିନଠାରୁ ତଦନ୍ତକୁ ନେଇ ସନ୍ଦେହ ଲାଗି ରହିଛି । କମିଶନରେଟ୍ ପୁଲିସର ଧିମା ତଦନ୍ତ ଭିତରେ, ଇଡିର ଏଂଟ୍ରି ପୂରା ମାମଲାର ତଦନ୍ତକୁ ବଦଳାଇ ଦେଇଥିଲା । ଏହା ଭିତରେ ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଖଗେଶ୍ୱରକୁ ଇଡି ଗିରଫ କରିଥିବାବେଳେ ଏକାଧିକ ବ୍ୟବସାୟୀଙ୍କୁ ଡାକି ପଚରାଉଚୁରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଜେରା କରିବା ପରେ ଆଗକୁ ଆହୁରି ବଡ ବଡିଆଙ୍କ ପାଳି ପଡିପାରେ ବୋଲି ଅନୁମାନ କରାଯାଉଛି । ତେବେ ଅର୍ଚ୍ଚନା ଇଡି ଆଗରେ କଣ କହୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଆଇନଜୀବୀ । ତେବେ ପ୍ରଶ୍ନ ଉଠୁଛି, ଅର୍ଚ୍ଚନାଙ୍କୁ କିଏ ଫଶାଇ ଦେଇଛି? ଅର୍ଚ୍ଚନାଙ୍କ ପାଖରେ କି ପ୍ରକାର ଏକ୍ସକ୍ଲୁସିଭ୍ ଭିଡିଓ ରହିଛି? ଭିଡିଓରେ କୌଣସି ବଡ ବଡିଆଙ୍କ ଲିଙ୍କ ରହିଛି କି? ଏହି ସବୁ କଥା ଉପରୁ ପରଦା ହଟାଇପାରେ ଇଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe