କନକ ବ୍ୟୁରୋ : ରାଜ୍ୟର ବଡ଼ ବଡ଼ ନେତା, ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ଫଟୋ ଭାଇରାଲ ହେବା ପରେ ସାରା ରାଜ୍ୟରେ ହଇଚଇ ଖେଳିଯାଇଛି । ବିଶେଷ କରି ରାଜନୈତିକ ନେତାଙ୍କ ସହ ଅର୍ଚ୍ଚନା ନାଗଙ୍କ ଲିଙ୍କ୍ ସମସ୍ତଙ୍କୁ ଚକିତ କରିଦେଇଛି । ସୂର୍ଯ୍ୟ ପାତ୍ର, ଜଗନ୍ନାଥ ସାରକା, ଜୁଏଲ ଓରାମ, କେଭି ସିଂଦେଓଙ୍କ ଭଳି ଆଗଧାଡିର ନେତାଙ୍କ ଫଟୋ ଭାଇରାଲ ହେବା ପରେ ଆଉ ଜଣେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ଫଟୋ ଭାଇରାଲ ହୋଇଛି । ଫଟୋରୁ ଜଣାପଡୁଛି, ଦିଲ୍ଲୀପ ରାୟଙ୍କ ସହ ସେଲଫି ଉଠାଇଛନ୍ତି ଅର୍ଚ୍ଚନା । ତେବେ କେବେ ଓ କେଉଁଠି ଏହି ଫଟୋ ଉଠା ଯାଇଥିଲା ଜଣାପଡିନାହିଁ । ଏ ନେଇ ଦିଲ୍ଲୀପ ରାୟଙ୍କ ପ୍ରତିକ୍ରିୟା ମଧ୍ୟ ମିଳିନାହିଁ ।

Advertisment

ଏପଟେ ଏହି ମାମଲାରେ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ ଦଳର ନେତା । ରାଜ୍ୟ ସରକାରଙ୍କୁ ଘେରିବା ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା   ।  ଏହାର ଜବାବ ରଖି ବିଜେଡି କହିଛି, ଉତର ଦେବା ଲୋକ ଆଜି ପ୍ରଶ୍ନକର୍ତା ସାଜିଛନ୍ତି । ପଶ୍ଚିମଓଡିଶାର ଜଣେ ତୁଙ୍ଗ ନେତାଙ୍କ ଫଟୋ ସାମ୍ନାକୁ ଆସିଛି,. ପ୍ରଥମେ ତାର ଉତର ଦିଅନ୍ତୁ ବୋଲି କହିଛନ୍ତି ଦଳର ମୁଖପାତ୍ର ଲେନିନ ମହାନ୍ତି । ସେପଟେ ଛାତ୍ର କଂଗ୍ରେସ ପ୍ରେସମିଟ କରି କହିଛି, ଏସଆଇଟି ତଦନ୍ତ କରି ପୂରା ଘଟଣାର ପର୍ଦ୍ଦାଫାଶ କରାଯାଉ ।

ଏହାରି ଭିତରେ ଆଉ ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଏଥିରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ରହିଛନ୍ତି । ଏମାନଙ୍କ ସହ ଅଛନ୍ତି କଳାହାଣ୍ଡିର ଦୁଇ ଜଣ ନେତା । ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ ଓ ପୂର୍ବତନ ଯୁବ ବିଜେଡି ସଭାପତି ପ୍ରମୋଦ ପଟ୍ଟନାୟକ । ଏମାନେ ଅର୍ଚ୍ଚନାଙ୍କ ଭୁବନେଶ୍ୱର ସତ୍ୟବିହାର ଘରେ ଡାଇନିଂରେ ଏକାଠି ବସି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏ ନେଇ ଦୁଇ ନେତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହି ଲେଡି ବ୍ଲାକମେଲରଙ୍କ ସଂପର୍କରେ ଯେତିକି ଗୁମର ଖୋଲୁଛି, ପୂରା ମାମଲାକୁ ନେଇ ରହସ୍ୟ ସେତିକି ବଢ଼ିବାରେ ଲାଗିଛି । ବଡ଼ ବଡ଼ ରାଜନେତାଙ୍କ ସହ ଫଟୋ ଅଧିକ ସଂଦେହ ବଢ଼ାଇଛି । ହନିଟ୍ରାପର ଫାଶ ବସାଇ ପ୍ରଭାବଶାଳୀଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରୁଥିବା ଜଣେ ଯୁବତୀଙ୍କ ସହ ନେତାଙ୍କ ସଂପର୍କକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।