ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଦାମୀ କାର ଖୋଜୁଛି ଇଡି : କିଏ ଉପହାର ଦେଇଛି ତାର ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

290

କନକ ବ୍ୟୁରୋ : କୁଆଡ଼େ ଗଲା ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗଙ୍କ ଦାମୀ କାର ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି ଯିଏ ଅର୍ଚ୍ଚନାଙ୍କୁ ଏହି ଦାମୀ ଏଣ୍ଡେଭର କାର ଗିପ୍ଟ କରିଥିଲା, ତାହାର ଖୋଳତାଡ଼ କରୁଛି ଇଡି । କାରର ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଗାଡ଼ିରେ ବସି ଅର୍ଚ୍ଚନା ତାଙ୍କର କଳା ସାମ୍ରାଜ୍ୟ ଚଳାଇଥିଲେ । ଏହି କାର ଭିତରେ ହିଁ ହୋଇଥିଲା ଅନେକ ଡିଲ ।

ସେହି କାରକୁ ଏବେ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯଦି କୌଣସି ବ୍ୟକ୍ତି ଅର୍ଚ୍ଚନାଙ୍କର ଏହି କାରକୁ ଲୁଚାଇଥିବ ତାଙ୍କ ବିରୋଧରେ ଇଡି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆବଶ୍ୟକ ପଡ଼ିଲେ କାର ଲୁଚାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଦାମୀ କାର ରାଜ୍ୟର କେଉଁ କେଉଁ ସ୍ଥାନକୁ ଯାଇଛି ତାହାର ସବିଶେଷ ତଥ୍ୟ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି । ଏହି ମାମଲାରେ ଇଡି ରିମାଣ୍ଡରେ ଥିବା ଖଗେଶ୍ୱରକୁ ମାରାଥାନ ଜେରା କରି ଅନେକ ତଥ୍ୟ ପାଇଛି ଇଡି । ଏବେ ଇଡି ଅର୍ଚ୍ଚନାଙ୍କର ଦାମୀ କାର ଉପରେ ନଜର ପକାଇଛି ।

ବିଭିନ୍ନ ସ୍ଥାନରେ ଛାନଭିନ୍ କରିଥିବା ବେଳେ କେଉଁଠି ଏହି ଦାମୀ କାରର ପତା ପାଇନାହିଁ । କାରଣ ଏହି କାରକୁ ଜଣେ ବିଧାୟକ ଅର୍ଚ୍ଚନାଙ୍କୁ ଗିପ୍ଟ କରିଥିବା ଇଡି ଜାଣିବାକୁ ପାଇଛି । ବିଧାୟକଙ୍କ ବିରୋଧରେ ଶକ୍ତ ପ୍ରମାଣ ପାଇବା ପରେ ଇଡି ଖୋଳତାଡ ଆରମ୍ଭ କରିଛି । ବିଧାୟକ ଏହି କାର କିଣି ଅର୍ଚ୍ଚନାଙ୍କୁ ଦେଇଥିଲେ ନା ବିଧାୟକଙ୍କ ନିର୍ଦ୍ଦେଶରେ ଆଉ କେହି କାର କିଣି ଅର୍ଚ୍ଚନାଙ୍କୁ ଦେଇଥିଲେ ତାହାର ଅନୁସନ୍ଧାନ ଚଳାଇଛି ଇଡି ।