କନକ ବ୍ୟୁରୋ: ପଞ୍ଜୁରୀରେ ବନ୍ଦୀଥିବା ଏ ଚଢେଇଙ୍କୁ ଦେଖନ୍ତୁ, ତାଙ୍କ କିଚିରି ମିଚିରି ଶବ୍ଦକୁ ଶୁଣିବାକୁ ଚେଷ୍ଟା କରନ୍ତୁ । ସେମାନେ କଣ କଣ କହୁଛନ୍ତି ତାକୁ ବୁଝିବାକୁ କାନ ଡେରନ୍ତୁ... ଦର୍ଶକବନ୍ଧୁ ଏ ପଞ୍ଜୁରୀ, ଏ ଚଢେଇ କେଉଁ ଦୋକାନର ନୁହେଁ ବରଂ ଏ ଚଢେଇ ମାନେ ହେଉଛନ୍ତି ସେହି ଘରର ଯେଉଁ ଘର ଏବେ ବିବାଦରେ, ସକାଳୁ ସଞ୍ଜ ଆପଣଙ୍କ ଟିଭି ପରଦାରେ । ଇଏ ହେଉଛି ସେହି ରାଜକୀୟ ଘର ଯାହା ଗତ କିଛି ଦିନ ହେବ ହେଡଲାଇନରୁ ହଟୁନଥିବା ହନିଟ୍ରାପର ମାଷ୍ଟରମାଇଣ୍ଡ ଅର୍ଚ୍ଚନାଙ୍କର । ଯେଉଁଠି ରହିଛନ୍ତି ନାମୀଦାମୀ ବିଦେଶୀ ପକ୍ଷୀମାନେ । ଅର୍ଚ୍ଚନାଙ୍କୁ ନେଇ ଲଗାତାର ତାଙ୍କ ଅପରାଧର ଖବର, ଅୟସ ଆରାମର ଜୀବନ ବାବଦରେ ଚର୍ଚ୍ଚା ହେଉଥିବା ବେଳେ ସାମ୍ନାକୁ ଆସିଛି ଦାମୀ ଚଢେଇଙ୍କ ଦୁଃଖଦରଦର କାହାଣୀ । କନକ ନ୍ୟୁଜର କ୍ୟାମେରା ତୋଳି ଧରିଛି ପଶୁପକ୍ଷୀଙ୍କ ଜୀବନ ପ୍ରତି ଯାତନା ଓ ଯନ୍ତ୍ରଣାର ଚିତ୍ର ।

Advertisment

ଆଲିସାନ ବଙ୍ଗଳାର ସୌନ୍ଦର୍ଯ୍ୟ ବଢାଇବାକୁ ଆମେରିକାରୁ ଅର୍ଚ୍ଚନା ଆଣିଥିଲେ ମକାଓ ଶୁଆ । ୫ ଲକ୍ଷ ଟଙ୍କାର ଏହି ଯୋଡି କିଣି ଘରେ ରଖିଥିଲେ । ହେଲେ ବ୍ଲାକମେଲିଂ କରି ଫସିବା ପରେ ଏବେ ଝାରପଡା ଜେଲର ଚାରି କାନ୍ଥ ଭିତରେ ଦିନ କାଟୁଛନ୍ତି ଅର୍ଚ୍ଚନା । ଆଉ ଏପଟେ କେହି ନଥିବା ଘର ଭିତରେ ଭୋକ ଉପାସରେ, ବିନାଖାଦ୍ୟରେ, ବିନାପାଣିରେ ବନ୍ଦୀ ଜୀବନ ବି କାଟୁଛନ୍ତି ଏ ଜୀବମାନେ । ତାଟିଆରେ ଖାଦ୍ୟ ସରିଯାଇଛି, ମାଠିଆରେ ପାଣି ସରିଯାଇଛି । ଟିକି ପେଟକୁ ଭୋକ ଲାତ ମାରୁଥିଲେ ବି ଶୁଣିବାକୁ କେହିନାହିଁ, ବୁଝିବାକୁ କେହି ନାହିଁ । ତେଣୁ ତ ଅସହାୟ ହୋଇ କିଚିରିମିଚିରି ଶବ୍ଦ କରି ସାହାଯ୍ୟ ପାଇଁ ଡାକୁଛନ୍ତି ଭୋକିଲା ଚଢେଇ ।

ଖାଲି ଚଢେଇ ନୁହଁନ୍ତି ଗଛଲତା ମାନେ ବି ଦଣ୍ଡ ଭୋଗୁଛନ୍ତି, ଗୁମୁରି କାନ୍ଦୁଛନ୍ତି । ଟୋପେ ପାଣି ବିନା ସେମାନଙ୍କ ପ୍ରାଣ ବି ଛାଡିଗଲାଣି । ଏଡେ ବଡ ଘର, ସେମାନଙ୍କ ପାଇଁ କେହିନାହିଁ । ଅର୍ଚ୍ଚନା ଜେଲରେ, ସ୍ୱାମୀ ଫେରାର, ଘରେ ଝୁଲୁଛି ବିରାଟ ତାଲା । ବାଲକୋନୀର ଗଛ ମଉଳିଗଲାଣି, ଗେଟ୍ ଉପରେ ଝୁଲୁଥିବା ଗଛ ଝାଉଁଳିଗଲାଣି, । ଜଳ ବିନା ଏ ଦାମୀ ଆଉ ସୌଖୀନ ଗଛମାନଙ୍କର ଅବସ୍ଥା ବାର ବାଜିଗଲାଣି । କ୍ୟାମେରାରେ କେବଳ ଗଛ ଆଉ ପକ୍ଷୀମାନଙ୍କର କରୁଣ କାହାଣୀ କଏଦ ହୋଇଥିବା ବେଳେ ଅର୍ଚ୍ଚନାଙ୍କ ଘରେ ଥିବା ୧୦ରୁ ଅଧିକ ଦାମୀ କୁକୁରଙ୍କ ଅବସ୍ଥା ବି ଠିକ୍ ଏମିତି ହୋଇଥିବ ବୋଲି ଆମେ ଅନୁମାନ କରୁଛୁ ।

ଅର୍ଚ୍ଚନାଙ୍କ ହନିଟ୍ରାପର ଖବର ସବୁଠି ହଇଚଇ ଖେଳାଇଥିବା ବେଳେ ମିଡିଆ, ପୋଲିସ ଆଉ ସାଧାରଣ ଲୋକଙ୍କ ନଜର କେବଳ ଏ ରାଜକୀୟ ବଙ୍ଗଳା, ଲକଜୁରିୟସ ଗାଡି ଆଉ ନାଗଫାଶର ଖଳନାୟିକା ଉପରେ ହିଁ ରହିଛି । ହେଲେ ଏହି ଆଲିସାନ ଘର ଭିତରେ ଯେ ନୀରିହ ପଶୁପକ୍ଷୀମାନେ ଉପାସରେ ରହୁଛନ୍ତି, ଗଛମାନେ ଜଳବିନା ଜଳୁଛନ୍ତି ତାହା ନଜରର ଆଢୁଆଳରେ ରହିଯାଉଛି । ଆଉ ବିନା ଦୋଷରେ ବନ୍ଦୀ ଜୀବନ କାଟୁଥିବା ଚଢେଇ ଓ ଗଛମାନେ ପାଟି ନଖୋଲି ପଚାରୁଛନ୍ତି- ଆମର ଭୁଲ କଣ ? ଆମର ଏ ଅବସ୍ଥା ପାଇଁ ଦାୟୀ କିଏ? ଆମେ କି ପାପ କରିଥିଲୁ ? ଆମକୁ କେବେ ମିଳିବ ମୁକ୍ତି ?