କନକ ବ୍ୟୁରୋ : ଝାରପଡା ଜେଲରେ ଥିବା ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁକ୍ରବାର ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଥିଲେ ଅର୍ଚ୍ଚନା । ଏହି ମାମଲାରେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି । ଅର୍ଚ୍ଚନାଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି ଓ ଏହି ହାଇପ୍ରୋଫାଇଲ ମାମଲାରେ ବଡ଼ବଡ଼ିଆ ସମ୍ପୃକ୍ତି ଥିବାରୁ ତାଙ୍କୁ ଜାମିନ ଦିଆନଯାଉ ବୋଲି ସରକାରୀ ଓକିଲ ଯୁକ୍ତି ବାଢିଥିଲେ ।

Advertisment

ଏହାପରେ ଅର୍ଚ୍ଚନାଙ୍କ ଓକିଲ ଯୁକ୍ତି ବାଢି ତାଙ୍କ ମହକିଲକୁ ରାଜନୀତିର ଚକ୍ରବ୍ୟୁହରେ ଫସାଇ ଦିଆଯାଇଛି ଏବଂ ତାଙ୍କ ବିରୋଧରେ ଲାଗିଥିବା ସବୁ ଧାରା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ତାଙ୍କୁ ଜାମିନ ଦିଆଯାଉ ବୋଲି କହିଥିଲେ । ଏହାପରେ କୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି । ଜାମିନ ଆବେଦନର ଶୁଣାଣି ଚାଲିଥିବା ବେଳେ କୋର୍ଟ ରୁମରେ କାନ୍ଦି ପକାଇଥିଲେ ଅର୍ଚ୍ଚନା ନାଗ । ସରକାରୀ ଓକିଲଙ୍କ ଅକାଟ୍ୟ ଯୁକ୍ତି ତାଙ୍କୁ ଜାମିନ ଦେବାରେ ବାଧା ସୃଷ୍ଟି କରୁଥିବା ଜାଣିବା ପରେ ସେ କାନ୍ଦି ପକାଇଥିଲେ । ଶୁଣାଣି ବେଳେ ଭିଡିଓ କନଫରେସିଂ ମାଧ୍ୟମରେ ଉପସ୍ଥିତ ଥିବା ଅର୍ଚ୍ଚନା ବେଶ ଭାଙ୍ଗି ପଡିଥିବା ନଜର ଆସିଥିଲେ ।

ସରକାରୀ ଓକିଲ
-ଏହି ମାମଲାରେ ଆଇପିସିର ୩୭୦, ୩୨୮, ଆଇଟି ଆକ୍ଟ ୬୬-ଇ ଓ ୬୭ ଭଳି ସଙ୍ଗୀନ ଦଫା ଲାଗିଛି
-ଅର୍ଚ୍ଚନାଙ୍କୁ ଜାମିନ ଦିଆନଯାଉ

ଅର୍ଚ୍ଚନାଙ୍କ ଓକିଲ
-ଅର୍ଚ୍ଚନାଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସିଛି ଓ ଦଫା ଲାଗିଛି ତାହା ପ୍ରଯୁଜ୍ୟ ନୁହେଁ
-ତାଙ୍କୁ ଜାମିନରେ ଛଡ଼ାଯାଉ ଏବଂ ଏହି ମାମଲାରେ କେସ ଡାଏରୀ ମଗାଯାଉ

ସରକାରୀ ଓକିଲ
-ଏହି ହାଇପ୍ରୋଫାଇଲ ମାମଲାରେ ବଡ଼ବଡ଼ିଆ ସମ୍ପୃକ୍ତ ଅଛନ୍ତି
-ଅନେକ ନେତା, ମନ୍ତ୍ରୀ ମଧ୍ୟ ହନିଟ୍ରାପରେ ଫସିଛନ୍ତି
-ସେ ଏକାଧିକ ଯୁବତୀଙ୍କ ଜୀବନ ନଷ୍ଟ କରିଛନ୍ତି,
-ତାଙ୍କୁ ଜାମିନ ଦିଆନଯାଉ

ଅର୍ଚ୍ଚନାଙ୍କ ଓକିଲ
-ମୋ ମହକିଲ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ
-ସେ ରାଜନୀତିର ଚକ୍ରବ୍ୟୁହରେ ଫସିଯାଇଛନ୍ତି
-କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନେତା ଆକ୍ରୋଶମୂଳକ ଭାବେ ଫସାଇଛନ୍ତି
-ତାଙ୍କ ବିରୋଧରେ ଲାଗିଥିବା ଧାରା ସମ୍ପୂର୍ଣ୍ଣ ଭିତ୍ତିହୀନ
-ଅର୍ଚ୍ଚନାଙ୍କୁ ଜାମିନରେ ଛଡ଼ାଯାଉ