କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ଅଭିଯୋଗ ହେବା ପରେ ପ୍ରଥମ ଥର ପାଇଁ ସେ କ୍ୟାମେରା ସମ୍ମୁଖକୁ ଆସିଛନ୍ତି । କୋର୍ଟରେ ହାଜର ହେବାକୁ ଆସିଥିବାବେଳେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା । ସେ କହିଛନ୍ତି, ବିନା ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ । ଆଉ କୋର୍ଟରୁ ବାହାରିବାବେଳେ କହିଥିଲେ, ଅପେକ୍ଷା କରନ୍ତୁ ତଦନ୍ତ ହେଉ, ସତ୍ୟ ସାମନାକୁ ଆସିବ ।
ତେବେ ଅର୍ଚ୍ଚନା କୋର୍ଟରେ ହାଜର ହେବା ପରେ ତାଙ୍କୁ ତାଙ୍କର ପରିଚୟ ଓ ଠିକଣା ପଚରା ଯାଇଥିଲା । ଏହାପରେ ତାଙ୍କ ବିରୋଧରେ ଥିବା ମାମଲା ନେଇ ତାଙ୍କୁ ଅବଗତ କରାଯାଇଥିଲା । ଏଥିସହ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରିବା ନେଇ ହୋଇଥିବା ମାମଲାରେ ତାଙ୍କୁ ଟ୍ୟାଗ କରାଯାଇଥିଲା । ଏବଂ କଡା ସୁରକ୍ଷା ବଳୟ ଭିତରେ ପୁଣି ଥରେ ତାଙ୍କୁ ଜେଲକୁ ନିଆଯାଇଛି । ଏହା ପରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ । ଜାମିନ ଆବେଦନର ଶୁଣାଣି ବି ହୋଇଥିଲା । କିନ୍ତୁ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ ।
ନଜର ପକାନ୍ତୁ ଜାମିନ ଆବେଦନ ଶୁଣାଣିବେଳେ କୋର୍ଟ ରୁମରେ କଣ ହୋଇଥିଲା । ସୂଚନା ଅନୁସାରେ, ଅର୍ଚ୍ଚନାଙ୍କ ଓକିଲ କହିଥିଲେ...
- ଅକ୍ଷୟ ପରିଜାଙ୍କ ମାମଲାରେ ଅର୍ଚ୍ଚନାଙ୍କର ସିଧାସଳଖ ସମ୍ପୃକ୍ତି ନାହିଁ
- ଏହି ମାମଲାରେ ଅର୍ଚ୍ଚନାଙ୍କୁ ପରୋକ୍ଷରେ ସମ୍ପୃକ୍ତ କରାଯାଇଛି
- ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ମୁଖ୍ୟ ଷଡଯନ୍ତ୍ରକାରୀ ଆଉ ଜଣେ ମହିଳା
- ଅର୍ଚ୍ଚନାଙ୍କୁ ଏହି ମାମଲାରେ କୋ-ଆକ୍ୟୁଜ୍ ଦର୍ଶାଯାଇଛି
- ଅର୍ଚ୍ଚନା ଜଣେ ମହିଳା ହୋଇଥିବାରୁ ତାଙ୍କୁ ବେଲ୍ ଦିଆଯାଉ
ଏହାର ଜବାବରେ ସରକାରୀ ଓକିଲ କହିଥିଲେ
- ଦୁଇ ଦୁଇଟି କେସରେ ଅର୍ଚ୍ଚନାଙ୍କ ସମ୍ପୃକ୍ତି ରହିଛି
- ତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ଦଫା ୧୨୦ ବି ଲାଗିଛି
- ଏଥିସହ ଅନ୍ୟାନ୍ୟ ସଙ୍ଗୀନ ଦଫା ମଧ୍ୟ ଲାଗିଛି
- ଖଣ୍ଡଗିରିରେ ହୋଇଥିବା ମାମଲାରେ ଅର୍ଚ୍ଚନା ମୁଖ୍ୟ ଅଭିଯୁକ୍ତ ଅଛନ୍ତି
- ତାଙ୍କୁ ବେଲ ମିଳିଲେ ସେ ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିପାରନ୍ତି
- ତେଣୁ ଅର୍ଚ୍ଚନାଙ୍କୁ ଜାମିନ ଦିଆ ନଯାଉ
କୋର୍ଟରେ ହାଜର ହେବାକୁ ଆସିଥିବାବେଳେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା । କୋର୍ଟରୁମକୁ ଯିବା ପୂର୍ବରୁ କହିଥିଲେ, ବିନା ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ । ଏବଂ କୋର୍ଟରୁ ବାହାରିବାବେଳେ କହିଥିଲେ, ଅପେକ୍ଷା କରନ୍ତୁ ତଦନ୍ତ ହେଉ, ସତ୍ୟ ସାମନାକୁ ଆସିବ । ଅନ୍ୟାୟ କରନ୍ତୁ ନାହିଁ ।
ଜଣେ ଯୁବତୀଙ୍କ ସହ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ କରିବା ଧମକ ଦେଇ ଅର୍ଚ୍ଚନା ତିନି କୋଟି ଟଙ୍କା ଦାବି କରିଥିବା ଅଭିଯୋଗ ରହିଛି । ଏନେଇ ନୂଆପଲ୍ଲୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଥିସହ ଅର୍ଚ୍ଚନା ଯୁବତୀଙ୍କୁ ଲଗାଇ ବଡବଡିଆଙ୍କୁ ହନିଟ୍ରାପ ଓ ବ୍ଲାକମେଲ କରି ଟଙ୍କା ରୋଜଗାର କରୁଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ଯେଉଁ ଅଭିଯୋଗ ଆଧାରରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଏବେ ଜେଲରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/ljphop.jpg)