କରୋନା ସଂକଟ ସମୟରେ ଶିଳ୍ପ ଚିନ୍ତା: ଭିଡିଓ କନଫରେନ୍ସିଂରେ ନବୀନ-ମିତଲ ଆଲୋଚନା; ଓଡ଼ିଶାରେ ୨ ହଜାର କୋଟିର ପୁଂଜି ନିବେଶ କରିବ ଆସେଲର ମିତଲ

ପାରାଦୀପର ପେଲେଟ ପ୍ଲାଂଟ୍, କେନ୍ଦୁଝରର ବେନିଫିକେସନ୍ ପ୍ଲାଂଟର ହେବ ସଂପ୍ରସାରଣ

329

କନକ ବ୍ୟୁରୋ: ଓଡିଶାରେ ପୁଞ୍ଜିନିବେଶ ପାଇଁ  ଲକ୍ଷ୍ମୀନାରାୟଣ ମିତଲଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ହୋଇଛି ଆଲୋଚନା ।  ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ମିତଲ ଗ୍ରୁପ୍ ଓଡିଶାରେ ୨ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବୋଲି ମିତଲ ସୂଚନା ଦେଇଛନ୍ତି । ପାରାଦୀପର ପେଲେଟ ପ୍ଲାଂଟ ଓ କେନ୍ଦୁଝରର ବେନିଫିକେସନ ପ୍ଲାଂଟର ହେବ ସମ୍ପ୍ରସାରଣ । ଓଡିଶାରେ ୨ଟି ଖଣି ପାଇଛି ଆର୍ସେଲ ମିତଲ କମ୍ପାନୀ । ଶାଗାସାହି ଓ ଠାକୁରାଣୀ ଖଣିର ଲିଜ୍ ଆର୍ସେଲର ମିତଲକୁ ମିଳିଛି । ଆର୍ସେଲର ମିତଲ ଓ ନିପନ ଷ୍ଟିଲ ଏହାକୁ ଅଧିଗ୍ରହଣ କରିଛନ୍ତି  । ଡିସେମ୍ବର ମାସରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସେମାନେ ଏହାକୁ ଅଧିଗ୍ରହଣ କରିଛନ୍ତି ।

ଆର୍ସେଲର ମିତ୍ତଲ ଏସାର ଷ୍ଟିଲକୁ ଅଧିଗ୍ରହଣ କରିଥିବାରୁ ଓଡ଼ିଶାରେ ଥିବା ଏସାରର ଇସ୍ପାତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ସମ୍ଭାବନା ରହିଛି । ଓଡ଼ିଶା ସରକାର ମଧ୍ୟ ଏ ନେଇ ଗତ କିଛି ମାସ ହେଲା ଆର୍ସେଲର-ମିତ୍ତଲ ସହ ଆଲୋଚନା କରୁଛନ୍ତି । ଓଡ଼ିଶାର ପାରାଦୀପ ନିକଟରେ ଏକ ଷ୍ଟିଲ ପ୍ଲାଣ୍ଟ କରିବାକୁ ଏସାର ୨୦୦୫ରେ ଏମଓୟୁ କରିଥିଲା । କେନ୍ଦୁଝର ଜିଲ୍ଲାର ଡାବୁନାଠାରେ ଏସାରର ଏକ ଲୁହାପଥର ବେନିଫିସିଏସନ ପ୍ଲାଣ୍ଟ ଓ ପାରାଦୀପଠାରେ ଏକ ପେଲେଟ ପ୍ଲାଣ୍ଟ ରହିଥିଲା । ଅଧିଗ୍ରହଣ ପରେ ଏସବୁ ପ୍ରକଳ୍ପ ଆର୍ସେଲର ମିତ୍ତଲ ହାତକୁ ଆସିଛି ।

ସେହିପରି ଗତ ଫେବ୍ରୁଆରି ମାସରେ ଅନୁଷ୍ଠିତ ଖଣି ନିଲାମରେ ଆର୍ସେଲର ମିତ୍ତଲ କେନ୍ଦୁଝର ଜିଲ୍ଲାରେ ଥିବା ଠାକୁରାଣୀ ଓ ସାଗାସାହି ଲୁହାପଥର ଖଣିକୁ ହାତେଇଥିଲା । ଠାକୁରାଣୀ ପରି ଏକ ବଡ଼ ଲୁହାପଥର ଖଣି ହାତକୁ ଆସିବା ପରେ ଆର୍ସେଲର-ମିତ୍ତଲର ଲୁହାପଥର ଆବଶ୍ୟକତା ପୂରଣ ହୋଇପାରିବ ।