ସେପ୍ଟେମ୍ବରରେ ଏପ୍ରିଲ ତାତି : ଅସହ୍ୟ ତାତିରେ ହନ୍ତସନ୍ତ ଲୋକେ; ସୁନ୍ଦରଗଡ଼, ବାରିପଦା ଓ ପାରଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ

105

କନକ ବ୍ୟୁରୋ : ସେପ୍ଟେମ୍ବରରେ ଏପ୍ରିଲ ମାସ ଭଳି ଅନୁଭବ ହେଉଛି। ଦେହ ସିଝି ଯାଉଛି, ଘରେ ରହିବା ବି ମୁସ୍କିଲ୍ । ମନେ ହେଉଛି, ପୁଣି ବୋଧହୁଏ ଖରା ଦିନ ଫେରିଆସିଛି । ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବା ସହିତ ଗତ ୨୪ଘଣ୍ଟାରେ ଏଭଳି ଭାବେ ବିଗିଡିଯାଇଛି ପାଣିପାଗ । ତାପମାତ୍ରା ଅସମ୍ଭବ ବଢିଯାଇଛି । ସ୍ଥିତି ଏତେ ଗମ୍ଭୀର ଯେ ଆଜି ପାଖାପାଖି ୧୨ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତଦୂର୍ଧ୍ବ ରେକର୍ଡ କରାଯାଇଥିଲା। ସୁନ୍ଦରଗଡ଼, ବାରିପଦା ଓ ପାରଳାଖେମୁଣ୍ଡିଠାରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରହିଥିଲା।

ପାଣିପାଗ ବିଜ୍ଞାନୀ ତଥା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଶରତ ଚନ୍ଦ୍ର ସାହୁଙ୍କର କହିବା କଥା, ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀ ପାଖାପାଖି ରହିବା କଥା। ହେଲେ ଏକାଧିକ ଲଘୁଚାପ ଏବେ ଯାଇଛି ଓ ଆକାଶ ନିର୍ମଳ ରହିଛି। କେବଳ ସେତିକି ନୁହେଁ, ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ଏଣୁ ସୂର୍ଯ୍ୟଙ୍କ କିରଣର ପ୍ରଖରତା ଅନୁଭବ ହେଉଛି। ଦ୍ବିତୀୟତଃ, ଦିନରେ ଆର୍ଦତ୍ରା ୪୫ରୁ ୫୫ ପର୍ଯ୍ୟନ୍ତ ରହୁଛି। ଏହା ବି ଅନ୍ୟ ଏକ କାରଣ। ତେବେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ ଆନ୍ଧ୍ର-ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇପାରେ। ତା ପ୍ରଭାବରେ କିଛି ବର୍ଷା ହେବ। ଏହାବ୍ୟତୀତ ତାପମାତ୍ରା ବଢୁଥିବା କାରଣରୁ କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏପରି ହେଲେ ଗରମ ଟିକିଏ କମିବ।

ସେପଟେ ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ଅମ୍ରିତସରରୁ ଆରମ୍ଭ ହୋଇ ମିରଠ, ମୁଜାଫର୍‌ପୁର ଓ ଜଲ୍‌ପାଇଗୁଡ଼ି ହୋଇ ପୂର୍ବ ଦିଗରେ ଆସାମ ମଧ୍ୟ ଦେଇ ନାଗାଲାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି। ଅର୍ଥାତ ମୌସୁମୀ ଟ୍ରଫ୍‌ ଲାଇନ୍‌ ନିଜ ପାରମ୍ପରିକ ସ୍ଥାନରୁ ହଟି ଉତ୍ତର ଆଡ଼କୁ ଗତି କରୁଥିବାରୁ ‌ଓଡ଼ିଶାରେ ମୌସୁମୀ ବାୟୁ ଦୁର୍ବଳ ରହିଛି। ଫଳରେ ରାଜ୍ୟ‌‌‌ରେ ବର୍ଷାର ପରିମାଣ କମିବା ସହ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ରାଜ୍ୟରେ ଏବେ ମୌସୁମୀ ବାୟୁ ଦୁର୍ବଳ ରହିଥିବାରୁ ଆସନ୍ତା କିଛି ଦିନ ଧରି ତାପମାତ୍ରା ବଢ଼ିବ। ବିଶେଷ ବର୍ଷା ହେବାର ବି ସମ୍ଭାବନା ନାହିଁ। ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନାକୁ ନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ଜିଲ୍ଲାଗୁଡ଼ିକ ହେଲା, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କନାଳ ଓ ବାଲେଶ୍ବର। ୮ ଓ ୯ତାରିଖ ପାଗ ଶୁଖିଲା ରହିବ ଓ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ୧୦ ତାରିଖ ଦିନ ରାଜ୍ୟର ୧୫ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଗଜପତି, ବଲାଙ୍ଗୀର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ ଓ ଢେଙ୍କନାଳ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଟକ ଓ ଭୁବନେଶ୍ବରରେ ପାଗ ଆଂଶିକ ମେଘୁଆ ରହିବା ସହ ଝଡ଼ ବର୍ଷା ହୋଇପାରେ। ଦିନର ତାପମାତ୍ରା ୩୫ ଡିଗ୍ରି ଉପରେ ରହିବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ‌ରେ କମ୍‌ ବର୍ଷା ଅଛି। ଆସନ୍ତା ସପ୍ତାହରେ ରାଜ୍ୟରେ ସମୁଦାୟ ବର୍ଷା ୫୦ ମିମି ହୋଇପାରେ। ଅଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ, ଉତ୍ତର ଓଡ଼ିଶାରେ ୮ରୁ ୧୦ତାରିଖ ଏବଂ ଉପକୂଳ ଓଡ଼ିଶାରେ ୯ ଓ ୧୦ ତାରିଖରେ ସ୍ବଳ୍ପ ବର୍ଷା ହେବାକୁ ଥିବା ବେଳେ ଅନ୍ୟ ଦିନଗୁଡ଼ିକରେ ହାଲୁକା ବର୍ଷା ହୋଇପାରେ। ତେବେ ୯ ଓ ୧୦ ତାରିଖରେ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।