କନକ ବ୍ୟୁରୋ : ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଅପରାହ୍ନ ୨ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୩୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର ୨୦ରେ ଇ-ସ୍ପେସ୍ରେ ହଲ୍ ଟିକେଟ୍ ଉପଲବ୍ଧ ହେବ ଏବଂ ଆବେଦନକାରୀ ସେଠାରୁ ହଲ୍ ଟିକେଟ୍ ଡାଉନ୍ଲୋଡ୍ କରିପାରିବେ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ପ୍ରବେଶିକା ପରୀକ୍ଷା ହେବ । ଅକ୍ଟୋବର ୨୫ରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ପିଜି ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ବିଶ୍ବବିଦ୍ୟାଳୟ ଓ କଲେଜ ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ । ଡିସେମ୍ବର ପହିଲାରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ।
ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆବେଦନ ଓ ପରୀକ୍ଷା ପରିଚାଳନା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି ହୋଇଛି। ପ୍ରଥମ ଥର ଲାଗି ହେଉଥିବା ଏହି ପ୍ରବେଶିକା ପରୀକ୍ଷା ଦାୟିତ୍ବ ୩ଟି ବିଶ୍ବବିଦ୍ୟାଳୟକୁ ଦିଆଯାଇଛି। କଳା ବିଭାଗର ୨୪ଟି ବିଷୟର ପରୀକ୍ଷା ପରିଚାଳନା ଉତ୍କଳ ବିଶ୍ବବିଦ୍ୟାଳୟ, ବିଜ୍ଞାନ ବିଭାଗର ୨୦ଟି ବିଷୟର ପରୀକ୍ଷା ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବାଣିଜ୍ୟ ବିଭାଗର ୮ଟି ବିଷୟର ପରୀକ୍ଷା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କରିବ। ପ୍ରବେଶିକା ପରୀକ୍ଷା ଲାଗି କେବଳ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା କରାଯିବ। କୌଣସି ପ୍ରକାର ଅଫ୍ଲାଇନ୍ ସୁବିଧା ଉପଲବ୍ଧ ହେବ ନାହିଁ। ସର୍ବାଧିକ ୫ଟି ପିଜି ବିଷୟ ଓ ୧୦ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଜଣେ ପରୀକ୍ଷାର୍ଥୀ ଆବେଦନ କରିପାରିବେ। ପ୍ରଥମ ବିଷୟ ଲାଗି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୫୦୦ ଟଙ୍କା ଫି’ ରହିଥିବା ବେଳେ ପରବର୍ତୀ ବିଷୟଗୁଡ଼ିକ ପିଛା ୨୦୦ ଟଙ୍କା ଲେଖାଏଁ ଦେବାକୁ ହେବ। ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ବାବଦରେ ୫୦୦ ଟଙ୍କା ରଖାଯାଇଥିବା ବେଳେ ଏସ୍ସି/ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୩୦୦ ଟଙ୍କା, ଭିନ୍ନକ୍ଷମ ଓ କିନ୍ନରଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ଫି’ କେବଳ ଅନ୍ଲାଇନ୍ରେ ଡିପୋଜିଟ୍ କରାଯିବ। ଥରେ ଫି’ ଦାଖଲ କରାଗଲେ ଆଉ ଫେରସ୍ତ ନାହିଁ।