କନକ ବ୍ୟୁରୋ : ଆଇଫୋନ୍ ନିର୍ମାତା ଆମେରିକୀୟ କଂପାନି ଆପଲ୍ ଏବେ ୩ ଲକ୍ଷ କୋଟି ଡଲାର ବା ୩ ଟ୍ରିଲିଅନ୍ ଡଲାର କଂପାନିରେ ପରିଣତ ହୋଇଛି । କଂପାନିର ସେୟାର ପିଛା ଦାମ୍ ୧୮୨.୮୬ ଡଲାରରେ ପହଞ୍ଚିଥିବା ପରେ ଆପଲ୍ ଏହି ସଫଳତା ହାସଲ କରିଛି । ବିଶ୍ବର ଅନ୍ୟ କୌଣସି ସଂସ୍ଥା ଆଜି ପର୍ଯ୍ୟନ୍ତ ଏଭଳି ମାଇଲଖୁଣ୍ଟ ହାସଲ କରିନାହାନ୍ତି । ଭାରତୀୟ ଅର୍ଥନୀତିର ମୂଲ୍ୟ ୨.୮୨ ଲକ୍ଷ କୋଟି ଡଲାର ଥିବା ବେଳେ ଆପଲ ମୂଲ୍ୟ ଏହାଠାରୁ ଅଧିକ । ନଗଦ ରାଶି ଅନୁସାରେ ଆପଲ୍ ହେଉଛି ବିଶ୍ବର ସବୁଠୁ ବିତ୍ତଶାଳୀ କଂପାନି । ଭାରତର ସମସ୍ତ ଆଇଟି କଂପାନିଗୁଡ଼ିକର ମୋଟ ମୂଲ୍ୟ ଠାରୁ ଆପଲ୍ ବଡ଼ ।
କେବଳ ଭାରତ ନୁହେଁ ବିଶ୍ବର ୧୮୬ଟି ଦେଶର ଅର୍ଥନୀତିକୁ ଆପଲ୍ ପଛରେ ପକାଇ ଦେଇଛି । ମାତ୍ର ଚାରିଟି ଦେଶର ଅର୍ଥନୀତି ଆପଲ୍ ଠାରୁ ଅଧିକ ମୂଲ୍ୟବାନ ଅଛନ୍ତି । ସେମାନେ ହେଉଛନ୍ତି ଆମେରିକା, ଚୀନ୍, ଜାପାନ ଓ ଜର୍ମାନି । ବୋଇଙ୍ଗ, କୋକା-କୋଲା, ଡିଜ୍ନି, ଏକ୍ସନ୍-ମୋବିଲ, ମ୍ୟାକ୍ଡୋନାଲ୍ଡସ, ନେଟ୍ଫ୍ଲିକ୍ସ ଓ ୱାଲ୍ମାର୍ଟର ମିଳିତ ମୂଲ୍ୟ ଠାରୁ ଆପଲ୍ ବଡ଼ । ଆପଲ୍ ପଛରେ ଥିବା ବିଶ୍ବର ଅନ୍ୟ ମୂଲ୍ୟବାନ କଂପାନିଗୁଡ଼ିକ ହେଉଛି ମାଇକ୍ରୋସଫ୍ଟ (୨.୫୧ ଟ୍ରିଲିଅନ ଡଲାର), ଆଲ୍ଫାବେଟ୍ (୧.୯୨ ଟ୍ରିଲିଅନ୍ ଡଲାର), ସାଉଦି ଆରାମ୍କୋ (୧.୯ ଟ୍ରିଲିଅନ ଡଲାର) ଓ ଆମାଜନ (୧.୭୩ ଟ୍ରିଲିଅନ ଡଲାର) ।
ଆମେରିକାର ସିଲିକନ୍ ଭ୍ୟାଲିରୁ ସୃଷ୍ଟି ହୋଇଥିବା ଆପଲ୍ ୩୮ ବର୍ଷ କାରବାର କରିବା ପରେ ୨୦୧୮ରେ ଏହାର ମୂଲ୍ୟ ୧ ଟ୍ରିଲିଅନ୍ ଡଲାର ଅତିକ୍ରମ କରିଥିଲା । ଏହାପରେ ଦ୍ରୁତ ଗତିରେ କଂପାନିର ମୂଲ୍ୟ ବଢ଼ିଥିଲା । ୨୦୨୦ ଅଗଷ୍ଟରେ ଆପଲ୍ ଦୁଇ ଟ୍ରିଲିଅନ ଡଲାର କଂପାନି କ୍ଲବ୍ରେ ସାମିଲ ହୋଇଥିଲା । ମାତ୍ର ୨୪ ମାସରେ କଂପାନି ଏହି ସଫଳତା ହାସଲ କରିଥିଲା । ଆଉ ଏକ ଟ୍ରିଲିଅନ୍ ଡଲାର ଯୋଡ଼ିବାକୁ କଂପାନି ୧୬ ମାସ ସମୟ ନେଇଛି । ଗତ ୧୫ ବର୍ଷ ଭିତରେ ମାତ୍ର ତିନିଟି ବର୍ଷରେ କଂପାନି ବିଯୁକ୍ତାତ୍ମକ ରିଟର୍ଣ୍ଣ ଦେଇଥିଲା । କରୋନା ମହାମାରୀ ପ୍ରଭାବ ସତ୍ତ୍ବେ କଂପାନି ଗତ ତ୍ରୟମାସରେ ୨୦୬୦ କୋଟି ଡଲାର ଲାଭ ହାସଲ କରିଛି ।